ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଡବିଂ କରାଯିବାକୁ ଯୋଜନା କରାଯାଉଛି। ଏହାକୁ ସର୍ବଭାରତୀୟ ଚଳଚ୍ଚିତ୍ର ଭଳି ପ୍ରସ୍ତୁତ ହେଉଥିବା ନିର୍ଦ୍ଦେଶକ ଅଜୟ କୁମାର ପାଢ଼ୀ କହିଛନ୍ତି। ସ୍ଥାନୀୟ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଡ଼ୁଲୁରୀ ପାଇନ ବଣ ସମେତ ୫୯ନଂ ଜାତୀୟ ରାଜପଥର ବିଭିନ୍ନ ଜଙ୍ଗଲ ଘାଟି ରାସ୍ତାରେ ଦିନ ରାତି ଶୁଟିଂ ଚାଲିଛି। ସାଇ ଦରବାର ଫିଲ୍ମସ ବ୍ୟାନରରେ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶନା ଏବଂ ସର୍ବେଶ୍ୱର ସୂତାରଙ୍କ ପ୍ରଯୋଜନାରେ ‘ବିଗୁଲ୍‌’ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କନ୍ଧମାଳ ଜିଲାର ବିଭିନ୍ନ ସତ୍ୟ ଘଟଣା ସମ୍ପର୍କରେ ରହିଛି। ତେଣୁ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଏବଂ ଫିରିଙ୍ଗିଆ ବ୍ଲକର କାଶିନିପଦର ଗ୍ରାମ ଅଞ୍ଚଳରେ ଏହା ଶୁଟିଂ କରାଯାଉଥିବା କୁହାଯାଇଛି। ଜିଲାରେ ହଳଦୀ ଚାଷୀ କିଭଳି ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ଏଥିସହ ପରମ୍ପରା ଦଣ୍ଡନାଚ, ଘାଟି ରାସ୍ତାରେ ଲୁଟ୍‌ପାଟ, ଅନ୍ଧ ବିଶ୍ୱାସ, ଗୁଣିଗାରେଡ଼ି ସହ ଅଞ୍ଚଳରେ ଅନୁସୂଚିତ ଜାତି ଜନଜାତିଙ୍କ ପାରମ୍ପରିକ ଚଳଣି ସହ ସେମାନଙ୍କ ଜଙ୍ଗଲ ଜାତୀୟ ସାମଗ୍ରୀକୁ ବିକ୍ରିବଟା କରିବା ଆଦି ରହିଛି। ଏହି ଚଳଚ୍ଚିତ୍ରରେ ଫିରିଙ୍ଗିଆ ଥାନା ସମେତ ବ୍ଲକ କାର୍ଯ୍ୟାଳୟ ଓ ବିଭିନ୍ନ ଗ୍ରାମରେ ଶୁଟିଂ କରାଯାଉଥିବା ଜଣାପଡ଼ିଛି। ସିନେମାରେ ମୁଖ୍ୟ ଚରିତ୍ରଟି ଜଣେ ନାୟିକାଙ୍କୁ ନେଇ କରାଯାଉଥିବା ବେଳେ ଏଥିରେ ବିଶିଷ୍ଟ ନାୟିକା ସୁପ୍ରିୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

ଏହି ଫିଲ୍ମରେ ଓଲିଉଡ୍‌ ସମେତ ମୁମ୍ବାଇରୁ କିଛି ବିଶିଷ୍ଟ କଳାକାର ଅଭିନୟ କରୁଥିବା ବେଳେ ଜିଲାର ସ୍ଥାନୀୟ କଳାକାର ତଥା ଓଡ଼ିଆ ସିନେମାର ଅଭିନେତା ତଥା କୁଇ ଗାୟକ, ସଙ୍ଗୀତଜ୍ଞ ଜଳନ୍ଧର ବେହେରା, ମିଳନ କହଁର, ଏବଂ କେବେ ସିନେମାରେ କାର୍ଯ୍ୟ କରି ନ ଥିବା ସୁବ୍ରତ ମହାନ୍ତିଙ୍କ ଭଳି ବହୁ କଳାକାର ଏହି ସିନେମାରେ କାମ କରିବାର ସୁଯୋଗ ପାଇଛନ୍ତି। ସେହିପରି ଏବେ ଦାରିଙ୍ଗବାଡ଼ି ଶୁଟିଂରେ ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର ଇଲୁ ବାନାର୍ଜୀ ଜଣେ ପୋଲିସ ଚରିତ୍ରରେ ଅଭିନୟ କରୁଛନ୍ତି। ଦାରିଙ୍ଗବାଡ଼ିରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରାୟ ସିନେମାର ଶୁଟିଂ ଚାଲିବ ବୋଲି ଆସୋସିଏଟ ପ୍ରଡ୍ୟୁସର ହିମାଦ୍ରୀ କହିଛନ୍ତି।