Advertisement

କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ
ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କ ସମେତ ମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀ। ବିଭିନ୍ନ ଶାସ୍ତ୍ରରେ ଏହି କ୍ଷେତ୍ରର ୪୨ଟି ନାମ ରହିଛି। ସେଥିମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର ଏବଂ ଶ୍ରୀକ୍ଷେତ୍ର ସବୁଠି ଚର୍ଚ୍ଚିତ ନାମ। ଏହାକୁ ମତ୍ତ ବୃନ୍ଦାବନ ମଧ୍ୟ କୁହାଯାଏ। ଏବେବି ଶ୍ରୀମନ୍ଦିରରେ ପ୍ରାଚୀନ ପୂଜାପଦ୍ଧତି, ପରମ୍ପରା, ଉପାସନା ଓ ସଂସ୍କୃତି ଅକ୍ଷୁଣ୍ଣ ଭାବେ ବଞ୍ଚି ରହିଛି। ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିା ମନ୍ଦିର ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ବଡ଼ଦାଣ୍ଡ ଭକ୍ତ-ଭଗବାନଙ୍କ ମିଳନର ମାଧ୍ୟମ ସାଜିଆସୁଛି। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାରେ ବଡ଼ଦାଣ୍ଡରେ ଅନୁଷ୍ଠିତ ରଥଯାତ୍ରାରେ ସାରା ବିଶ୍ୱର ଅଗଣିତ ଶ୍ରଦ୍ଧାଳୁ ସମାଗମ ହୋଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି
ନିଜକୁ କୃତାର୍ଥ ମଣିଥାନ୍ତି। ପୁରୀ ସହରର ଦକ୍ଷିଣ-ପୂର୍ବ ଦିଗରେ ରହିଛି ୮ କି.ମି. ଆକର୍ଷଣୀୟ ବେଳାଭୂମି, ଯେଉଁଠି
କେବେ ଜନଶୂନ୍ୟ ହୁଏନାହିଁ। ପୁରୀରେ ବହୁ ପ୍ରସିଦ୍ଧ ମଠ ଓ ମନ୍ଦିର ରହିଛି, ଯାହା ଶ୍ରୀମନ୍ଦିରର ରୀତିନୀତି ସହ ଜଡ଼ିତ। ସେହିପରି ମହାତୀର୍ଥ ଭାବେ ପରିଚିତ ସ୍ବର୍ଗଦ୍ୱାର ସମେତ ମହୋଦଧି, ମାର୍କଣ୍ଡେୟ ପୁଷ୍କରିଣୀ ଏବଂ ନରେନ୍ଦ୍ର ପୁଷ୍କରିଣୀ ଧାର୍ମିକ ପର୍ଯ୍ୟଟନସ୍ଥଳ ଭାବେ ଖ୍ୟାତ। ସହରକୁ ପ୍ରତିବର୍ଷ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିବାବେଳେ ୬୦୦ରୁ ଅଧିକ ହୋଟେଲ, ଲଜିଂ, ହଲିଡେ ହୋମ୍‌, ରିସର୍ଟ ଆଦି ରହିଛି। ଭୁବନେଶ୍ୱରଠାରୁ ପୁରୀ ସହରର ଦୂରତା ୬୦ କି.ମି.।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share