ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି ସ୍ବାବଲମ୍ବୀ ହୋଇପାରିବ, ଉପକୂଳ ସୁରକ୍ଷା, ଯାଆଁଳ ସଂରକ୍ଷଣ, ଚିଙ୍ଗୁଡ଼ି ଚାଷ ପ୍ରଣାଳୀ, ମଧୁର ଜଳ ମାଛ ଚାଷ ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ଚିଙ୍ଗୁଡ଼ି ଚାଷ କିପରି କରାଯାଏ, ଯାଆଁଳ ସଂରକ୍ଷଣ ଆଦି କ୍ଷେତ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ବାସ୍ତବ ତାଲିମ ଦିଆଯାଉନାହିଁ। କାରଣ ସେଠାରେ ଥିବା ରାଜ୍ୟର ଏକମାତ୍ର ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର ୨୦୦୬ରୁ ବନ୍ଦ ରହିଛି। ଏପରି ୧୬ ବର୍ଷ ଧରି ବନ୍ଦ ରହିବା ଯୋଗୁ ପ୍ରଜନନ କେନ୍ଦ୍ର ଏବେ ଭୂତକୋଠି ପରି ଦୃଶ୍ୟମାନ ହେଉଛି। ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ଲତା ସବୁ ମାଡ଼ିଯାଇଛି।
ଫଳରେ ଡଙ୍ଗା, ଟାଙ୍କି, ପୋଖରୀ, ବରଫ କଳ ଆଦି ଦୃଶ୍ୟମାନ ହେଉନାହିଁ। ମତ୍ସ୍ୟବିଭାଗ (ସାମୁଦ୍ରିକ)ମୁଖ୍ୟ ଅଫିସ ସମ୍ମୁଖରେ ଏହା ରହିଛି। ମତ୍ସ୍ୟବିଭାଗ ଅଫିସ ଜରାଜୀର୍ଣ୍ଣ ହେବାରୁ ତାହା ପାରାଦୀପ ମାଛଧରାବନ୍ଦର ପରିସରରେ ଥିବା ସମିତି ଘରେ ଚାଲୁଛି। ଏବେ ପ୍ରଜନନ କେନ୍ଦ୍ର ପରିସରରେ ଥିବା ମତ୍ସ୍ୟବିଭାଗ କର୍ମଚାରୀଙ୍କ ୩୦ କ୍ବାଟର୍ସ ୧୯୯୯ ପରଠାରୁ ଶୋଚନୀୟ ହୋଇପଡ଼ିଛି। ସେଠାରେ ଏବେ କେତେଜଣ ଜବରଦଖଲକାରୀ ଅନାବନା ଗଛ ସଫା କରି ଘର କରି ରହିଲେଣି। ୨୦୨୦ରେ କେବଳ କ୍ଷାରଜଳ କେନ୍ଦ୍ର ନବୀକରଣ ହୋଇଛି।
ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରରେ ବିହନଯୁକ୍ତ ଚିଙ୍ଗୁଡ଼ି ଆଣି ଛଡାଯାଏ। ସପ୍ତାହ ମଧ୍ୟରେ ଉକ୍ତ ବିହନ ଫାଟି ଯାଆଁଳ ହୋଇଥାନ୍ତି। ବଡ ବଡ ଟାଙ୍କିରେ ଯାଆଁଳ ଗୁଡିକ ରଖାଯାଇ ଲବଣାକ୍ତ ଜଳ ପ୍ରକ୍ରିୟାକରଣ କରାଯାଏ। ୧୦ ରୁ ୧୨ ଦିନ ମଧ୍ୟରେ ଯାଆଁଳ ବିକ୍ରି ଯୋଗ୍ୟ ହୋଇଥାଏ। ସେହି ଯାଆଁଳ ମୂଲ୍ୟ କିଲୋ ପିଛା ୫ ରୁ ୭ ହଜାର ଟଙ୍କାରେ ବିକ୍ରି ହୁଏ। ଏହାବାଦ୍ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ରିହାତି ଦରରେ ଚାଷ ପାଇଁ ଦିଆଯାଏ ବୋଲି କ୍ଷାରଜଳ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ କୁହନ୍ତି। ଏପରି ପ୍ରକଳ୍ପ ବନ୍ଦ ହେବା ପ୍ରସଙ୍ଗରେ ଜିଲା ମତ୍ସ୍ୟ ଅଧିକାରୀ ଦୀପ୍ତି କୁମାର ମହାପାତ୍ର କୁହନ୍ତି, ଧଳା ଚିଙ୍ଗୁଡ଼ି ବଜାରକୁ ଆସିବା ପରେ ଏହାର ଚାହିଦା କମି ଯାଇଥିଲା। ସେଥିପାଇଁ ସେତେବେଳର ଅଧିକାରୀମାନେ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ପରିବର୍ତ୍ତିତ ସମୟରେ ପୁନର୍ବାର ଆବଶ୍ୟକ ହେଲାଣି। ଏନେଇ ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରକୁ ପୁନଃ ଆରମ୍ଭ କରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଲେଖା ଯାଇଛି। ଏବେ ଯାହାକିଛି ନିଷ୍ପତ୍ତି ସରକାରୀସ୍ତରରେ ହେବ ବୋଲି ସେ କହିଛନ୍ତି।