ଐତିହ୍ୟ ଘୋଡ଼ାର ପାର୍ଶ୍ୱ ସ୍ଥାପତ୍ୟ ହଟିଲା

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଛକରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତର ନିଷ୍ପତ୍ତିରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଘୋଡ଼ା ରହିଲେ ମଧ୍ୟ ଏହା ଚାରିପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତି ଓ ସ୍ଥାପତ୍ୟକୁ ହଟାଯାଉଛି। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ଶନିବାର ମାଟି ଖୋଳାଯାଇ ସେସବୁକୁ ବାହାର କରାଯାଇ ଗୋଟିଏ ସ୍ଥାନରେ ରଖାଯାଇଛି। ତେବେ ଏହି ସମୟରେ ଏକ ନର୍ତ୍ତକୀ ମୂର୍ତ୍ତି ଅଧାରୁ ଭାଙ୍ଗିଯାଇଛି। ପରେ ଏହାକୁ ଅଠାଦେଇ ଯୋଡାଯାଇଛି। ଏସବୁ ମୂର୍ତ୍ତି ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ କରାଯାଇ ସେଗୁଡିକୁ ସ୍ଥାପନ କରାଯିବ।
ଐତିହ୍ୟ ଘୋଡ଼ା ସହ ଏ ସମସ୍ତ ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଇଛି। ସୌନ୍ଦର୍ଯ୍ୟକରଣର ପୂରା ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ। ଆସନ୍ତା ଅଢେଇ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟରେ ଆଉ ଏକ ଫର୍ଦ୍ଦ ଯୋଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ମୂର୍ତ୍ତିଗୁଡିକରେ ଶିଉଳି ମାଡି ଯାଇଛି। କେତେକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଘୋଡ଼ା ମରାମତି ସହ ଏହାର ଚାରିପାଖରେ ଲାଇଟିଂର ବ୍ୟବସ୍ଥା ହେବ। ମୂର୍ତ୍ତି ସଂଲଗ୍ନ ଚଟାଣକୁ ସମତୁଲ କରାଯିବା ପରେ ସେଠାରେ ସୌନ୍ଦର୍ଯ୍ୟକରଣ କାମ ହେବ। ସେହିପରି ଘୋଡାର ଚାରିପାର୍ଶ୍ୱରେ ପଥରରେ ଆନିମେଶନ ହୋଇ ଓଡ଼ିଶାର ସୁନ୍ଦର କଳାକୃତି କରାଯିବ। ସମସ୍ତ ମୂର୍ତ୍ତିର ମରାମତି କାମ ହୋଇ ପୁନରୁଦ୍ଧାର ଆରମ୍ଭ କରାଯାଇଛି। ମରାମତି ପରେ ରଙ୍ଗ ଦେଇ ସେଗୁଡିକୁ ପୁନଃସ୍ଥାପନ କରାଯିବ। କାମ ସରିବା ପରେ ଐତିହ୍ୟର ପ୍ରତୀକ ଏହି ମୂର୍ତ୍ତିକୁ ସହରବାସୀ ଏକ ନୂତନ ରୂପରେ ଦେଖିବାକୁ ପାଇବେ। ବହୁ ବାଦବିବାଦ ପରେ ମୂର୍ତ୍ତିକୁ ସେହି ସ୍ଥାନରେ ରଖାଯାଇଥିବାରୁ ପଦ୍ମବିଭୂଷଣ ସୁଦର୍ଶନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଘୋଡାର ଅବସ୍ଥା ଭଲ ନ ଥିବାରୁ ତୁରନ୍ତ ଏହାର ମରାମତି ଆବଶ୍ୟକ। ତେଣୁ ରଘୁନାଥଙ୍କ ପରିବାରରୁ କେହି ଏହାକୁ ମରାମତି କରିବା ପାଇଁ ସୁଦର୍ଶନ ନିବେଦନ କରିଛନ୍ତି। ଏହାଦ୍ୱାରା ରଘୁନାଥ ମହାପାତ୍ରଙ୍କ ସ୍ମୃତି ଚିରଦିନ ପାଇଁ ଉଜ୍ଜୀବିତ ହୋଇ ରହିବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ୧୯୮୮ରେ ମାଷ୍ଟରକ୍ୟାଣ୍ଟିନ୍‌ରେ ସ୍ଥାପିତ୍ୟ ହୋଇଥିଲା। ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏହି ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ସେହି ସ୍ଥାନରେ ମୂର୍ତ୍ତି ରହିବ ବୋଲି ନିଷ୍ପତ୍ତି ନିଆଯାଇ ସୌନ୍ଦର୍ଯ୍ୟକରଣ ଆରମ୍ଭ ହୋଇଛି।

Share