ଜାତୀୟ ରାଜପଥ ପାର୍ଶ୍ୱ ବିପଦସଙ୍କୁଳ

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର ଜାତୀୟ ରାଜପଥ ୨୦ରେ ରାସ୍ତା ପାର୍ଶ୍ୱରେ ଖାଲ ସୃଷ୍ଟି ହେବା ସହ କଳାଗୁଣ୍ଡ ପଡ଼ି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡ଼ିଛି। ଜାତୀୟ ରାଜପଥର ମେଡିଆନର ୪୫ମିଟର ପର୍ଯ୍ୟନ୍ତ ଅଧିଗ୍ରହଣ ଜମିରେ କୌଣସି ଦୋକାନ ବଜାର ହୋଇପାରିବ ନାହିଁ। ମାତ୍ର ନିୟମିତ ତଦାରଖ ଅଭାବରୁ ଜାତୀୟ ରାଜପଥ ପାର୍ଶ୍ୱରେ ବିଭିନ୍ନ ସ୍ଥାନରେ ଗ୍ୟାରେଜ, ହୋଟେଲ, ଟାୟାର ମରାମତି ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ଚାଲିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାମୁନାଳିଆ ଛକରେ ଢାବା ଏବଂ ଦୋକାନ ବଜାର ରହିବା ଦ୍ୱାରା ଗାଡ଼ି ରାସ୍ତା ଉପରେ ଛିଡ଼ା ହୋଇ ରହୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଦୁର୍ଘଟଣା ଘଟୁଛି। ଉକ୍ତ ସ୍ଥାନ ଦେଇ ରାଜପଥରୁ ଗାଁକୁ ଗାଡ଼ି ଯାତାୟାତ କରୁଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିୟମିତ ତଦାରଖ କରାଯାଉ ନ ଥିବା ଏବଂ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚ୍ଛେଦ କରୁ ନ ଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।