ନୀରବଘାତକ

ଭାରତରେ ୧୪ କୋଟି ଲୋକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ବାୟୁଗୁଣ ସୂଚକାଙ୍କର ୧୦ ଗୁଣ ପ୍ରଦୂଷିତ ବାୟୁ ସେବନ କରନ୍ତି, ଯାହା ଫଳରେ ପ୍ରତିବର୍ଷ ୨୦ ଲକ୍ଷ ଲୋକ ଅକାଳ ମୃତ୍ୟୁବରଣ କରନ୍ତି। ବାୟୁ ପ୍ରଦୂଷଣକୁ ସାଧାରଣତଃ ବାୟୁଗୁଣ ସୂଚକାଙ୍କ ହିସାବରେ ପ୍ରକାଶ କରାଯାଏ। ବାୟୁମଣ୍ଡଳରେ ଅତି କ୍ଷୁଦ୍ର କଣିକାର ଆକାରକୁ ୨.୫ ମାଇକ୍ରୋମିଟର କିମ୍ବା ୧୦ଆକାରରେ ପ୍ରକାଶ କରାଯାଏ, ଯାହାକୁ ପିଏମ୍‌ ୨.୫ ବା ପିଏମ୍‌୧୦ କୁହାଯାଏ। ଏକ ଘନମିଟର ବାୟୁରେ ମାଇକ୍ରୋଗ୍ରାମ ହିସାବରେ ବାୟୁ ପ୍ରଦୂଷଣ ପ୍ରକାଶ କରାଯାଏ। ଭାରତରେ ୨୦୨୪ ମସିହାରେ ହାରାହାରି ୫୦.୬ ମାଇକ୍ରୋଗ୍ରାମ କଣିକା ପ୍ରତି ଘନମିଟର ବାୟୁରେ ଥିଲା, ଯାହା ୨୦୨୩ ମସିହାର ୫୪.୪ ତୁଳନାରେ ସାମାନ୍ୟ କମ୍‌ ଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ସୂଚକାଙ୍କକୁ ୬ ଶ୍ରେଣୀରେ ବିଭକ୍ତ କରେ। ଯେଉଁ ସହର ବା ଦେଶରେ ଏହା ୫.୧ରୁ ୧୦ ମଧ୍ୟରେ ରହେ ତାହା ନିର୍ଦ୍ଧାରିତ ମାନଠାରୁ ୨-୨ ଗୁଣ ଅଧିକ ବୋଲି ବିବେଚନା କରାଯାଏ। ଏହି ମାନ ଯଦି ୫୦ରୁ ଅଧିକ ରହେ ତେବେ ତାକୁ ୧୦ ଗୁଣ ଅଧିକ ବୋଲି ବିଚାର କରାଯାଏ। ୨୦୨୫ ମସିହାରେ ମେଘାଳୟ ବିରନିହାଟରେ ଏହା ୧୨୮.୨, ଦିଲ୍ଲୀରେ ୧୦୮.୩ ଓ ଫରିଦାବାଦରେ ୧୦୧.୨ ରେକର୍ଡ କରାଯାଇଛି। ଭାରତରେ ୩୫% ସହରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ମାନଠାରୁ ୧୦ ଗୁଣ ଅଧିକ ବାୟୁ ପ୍ରଦୂଷିତ ହେବାର ପ୍ରକାଶ କରାଯାଇଛି। ବାୟୁରେ ଅଧିକ ପିଏମ୍‌ ୨.୫ ଥିଲେ ହୃଦ୍‌ରୋଗ, ଆଜ୍‌ମା ଓ ଓଜନ କମି ଯାଏ। ଏପରି ପ୍ରଦୂଷିତ ବାୟୁ ଶ୍ୱାସନଳିରେ ପ୍ରବେଶ କରି ମୃତ୍ୟୁର କାରଣ ହେଉଛି। ଏପରି ନୀରବ ଘାତକ ଆମ ଦେଶର କିପ୍ରକାର ବିପଦ ଆଗକୁ ସୃଷ୍ଟି କରିବ ତାହା ସହଜରେ ଅନୁମେୟ।
ବାୟୁ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ହେଲା ଶିଳ୍ପ ଯୋଗୁ ବାୟୁମଣ୍ଡଳକୁ ତ୍ୟାଗ କରାଯାଉଥିବା ଅଙ୍ଗାରକାମ୍ଳ ବାଷ୍ପ, ରାସ୍ତାରେ ଚାଲୁଥିବା ଗାଡ଼ିମୋଟର ଯୋଗୁ ନିର୍ଗତ ହେଉଥିବା କାର୍ବନ ମନୋକ୍ସାଇଡ ଓ ଅଙ୍ଗାରକାମ୍ଳ ବାଷ୍ପ, ନିର୍ମାଣ ଯୋଗୁ ବାୟୁମଣ୍ଡଳକୁ ନିର୍ଗତ ଧୂଳିକଣା, ଅଳିଆ ଆବର୍ଜନା ପୋଡ଼ା, ବିଜୁଳି ଶକ୍ତି ପାଇଁ କୋଇଲା ଜାଳେଣି ଓ ରୋଷେଇ ଲାଗି ଜାଳେଣି। ବାୟୁ ପ୍ରଦୂଷଣ ଆମ ଶରୀରରେ ଶ୍ୱାସନଳିଜନିତ ରୋଗ, ହୃଦ୍‌ରୋଗ ଓ ଅକାଳ ମୃତ୍ୟୁ କରିଥାଏ। ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୁଅନ୍ତି ବୟସ୍କ ଓ ଶିଶୁ। ବାୟୁମଣ୍ଡଳରେ ଅମ୍ଳ ବୃଷ୍ଟି ଯୋଗୁ ଜଙ୍ଗଲ, ହ୍ରଦ, ମୃତ୍ତିକା ଓ ଜୈବବିବିଧତା ମଧ୍ୟ ପ୍ରଭାବିତ ହୁଏ, ଯାହାକି ପରିସଂସ୍ଥାରେ ଅସ୍ଥିରତା ସୃଷ୍ଟି କରେ। ସହରାଞ୍ଚଳରେ ବାୟୁପ୍ରଦୂଷଣ ରୋକିବା ପାଇଁ ବହୁ ଅର୍ଥ ବ୍ୟୟବରାଦ ଆବଶ୍ୟକ ପଡ଼େ। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଭାରତରେ ୧୯୮୧ରେ ପ୍ରଣୀତ ହୋଇଥିଲେ ମଧ୍ୟ ଦୁର୍ବଳ କାର୍ଯ୍ୟକ୍ରମ ଯୋଗୁ ଏହା ସଫଳ ହେଲା ନାହିଁ। ୨୦୧୫ ରେ ଭାରତ ସରକାର ଆଇଆଇଟି କାନପୁର ସହାୟତାରେ ଜାତୀୟ ବାୟୁଗୁଣମାନ ସୂଚକାଙ୍କ ଆରମ୍ଭ କଲେ। ୨୦୧୯ ମସିହାରେ ଜାତୀୟ ନିର୍ମଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ମୋଟାମୋଟି ୨୦-୩୦% ପିଏମ୍‌ ୨.୫ ଓ ୧୦କୁ ୨୦୨୪ ସୁଦ୍ଧା ହ୍ରାସ କରିବାର ଲକ୍ଷ୍ୟଧାର୍ଯ୍ୟ କରାଗଲା। ଏହାକୁ ତୁଳନା କରିବା ପାଇଁ ୨୦୧୭କୁ ମୂଳ ବର୍ଷ ଧରାଗଲା। ଏହାକୁ ଭାରତର ୧୦୨ ଅଧିକ ପ୍ରଦୂଷିତ ସହରରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଗଲା। ଏହା ବ୍ୟତୀତ ୧୬୦୦ କିଲୋମିଟର ଦର୍ଘ୍ୟ ଓ ୫ କିଲୋମିଟର ପ୍ରସ୍ଥବିଶିଷ୍ଟ ଆରାବଳୀ ପାର୍ବତ୍ୟ ଅଞ୍ଚଳ କଡ଼ରେ ଗୁଜରାଟଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ୧୩୦ କୋଟି ବୃକ୍ଷରୋପଣ କରି ଏକ ସବୁଜ ପ୍ରାଚୀର ନିର୍ମାଣ ୧୦ବର୍ଷରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଗଲା।
ଏପରି ଏକ ନୀରବଘାତକ ପଞ୍ଝାରୁ ରକ୍ଷା ପାଇବା ପାଇଁ ଉଭୟ ସରକାର ଓ ଜନସାଧାରଣ କେତେକ ବଳିଷ୍ଠ କାର୍ଯ୍ୟକ୍ରମ ସମ୍ପାଦନ କରିବା ଅତ୍ୟନ୍ତ ଜରୁରୀ ମନେହୁଏ। ପ୍ରଥମରେ ଶିଳ୍ପ ଓ ଯାନବାହନଗୁଡିକରୁ ବାୟୁ ପ୍ରଦୂଷଣକାରୀ ବାଷ୍ପ ନିର୍ଗମନକୁ ସୀମିତ କରିବା ପାଇଁ ନୀତି ଓ ନିୟନ୍ତ୍ରଣ ଆବଶ୍ୟକ। ଦ୍ବିତୀୟରେ ବ୍ୟକ୍ତିଗତ ଗାଡ଼ିମୋଟର ପରିବର୍ତ୍ତେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଏବଂ ବିଶେଷ କରି ବିଦ୍ୟୁତ୍‌ ଚାଳିତ ଗାଡ଼ିରେ ଯାତାୟାତ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ଜରୁରୀ। ତୃତୀୟରେ ଜୀବାଶ୍ମ ଆଧାରିତ ଶକ୍ତି ପରିବର୍ତ୍ତେ ନବୀକରଣ ଯୋଗ୍ୟ ଶକ୍ତି ହିସାବରେ ସୌର ଶକ୍ତି, ପବନ ଶକ୍ତି ଓ ହାଇଡ୍ରୋ ପାୱାର ବ୍ୟବହାର କଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ। ଚତୁର୍ଥରେ ସହରାଞ୍ଚଳରେ ଯଥେଷ୍ଟ ବୃକ୍ଷରୋପଣ ସହିତ ପାର୍କ, ଜଳାଶୟ ଇତ୍ୟାଦି ରଖାଗଲେ ଅଙ୍ଗାରକ ପୃଥକୀକରଣ ହୋଇ ବାୟୁ ପ୍ରଦୂଷଣ ହ୍ରାସ ପାଇବ। ପଞ୍ଚମରେ ଗୃହ ଓ ରାସ୍ତା ନିର୍ମାଣ ସମୟରେ ଧୂଳିକଣା ଯେପରି ବାୟୁମଣ୍ଡଳକୁ ନ ବ୍ୟାପେ ସେଥିପ୍ରତି ଯତ୍ନବାନ ହେବା ସହିତ ଅଳିଆ ଆବର୍ଜନା ନ ପୋଡି ଏଗୁଡିକ ନିରାପଦ ସ୍ଥାନକୁ ଉଠାଇନେବା ପ୍ରୟୋଜନ l ଘରେ ରୋଷେଇ ପାଇଁ ଧୂମହୀନ ଚୁଲା କିମ୍ବା ଗ୍ୟାସ୍‌ ଚୁଲା ବ୍ୟବହାରକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ବୟସ୍କ ବ୍ୟକ୍ତି ଓ ରୋଗୀମାନେ ରାସ୍ତାରେ ଚାଲିବା ବେଳେ ସୁରକ୍ଷିତ ମାସ୍କ ବ୍ୟବହାର କଲେ ବହୁ ଉପକାର ପାଇବେ ଓ ପ୍ରଦୂଷଣଜନିତ ରୋଗରୁ ମୁକ୍ତି ପାଇବେ। ଷଷ୍ଠରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ସାମୂହିକ ବ୍ୟବସ୍ଥା ଓ ଫସଲ ଅବଶେଷ ପୋଡିବା ବନ୍ଦ ପାଇଁ ଆଇନ ପ୍ରଣୟନ କରିବାକୁ ହେବ। ଯେତେଦୂର ସମ୍ଭବ ଆମକୁ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ହେବ। ବୃକ୍ଷ ବାୟୁମଣ୍ଡଳରୁ ବିଷାକ୍ତ ବାଷ୍ପ ଶୋଷଣ କରି ଅମ୍ଳଜାନ ଯୋଗ କରେ। ଏହା ମଧ୍ୟ ଧୂଳିକଣାଗୁଡ଼ିକ ଶୋଷଣ କରିବା ଯୋଗୁ ଆମେ ବାୟୁ ପ୍ରଦୂଷଣରୁ ରକ୍ଷା ପାଉ। ସାଧାରତଃ ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ , ସଲ୍‌ଫର ଡାଇ ଅକ୍ସାଇଡ, ନାଇଟ୍ରୋଜେନ ଡାଇ ଅକ୍ସାଇଡ ଓ ଓଜୋନ ଗ୍ୟାସ୍‌ ଶୋଷିଦେଇ ବାୟୁକୁ ପ୍ରଦୂଷଣମୁକ୍ତ କରେ। ଗଛର ବଳ୍କଳ ଓ ପତ୍ର ବାୟୁମଣ୍ଡଳର ଧୂଳିକଣିକା ଗ୍ରହଣ କରି ବାୟୁକୁ କଳାଧୂଆଁ ମୁକ୍ତ କରେ। ଏହା ବ୍ୟତୀତ ଗଛ ପ୍ରଚୁର ଅମ୍ଳଜାନ ତ୍ୟାଗ କରେ। ଗଛର ଛାୟା ଯୋଗୁ ପରିବେଶ ଶୀତଳ ରହେ। ନିମ, ବର ଓ ଓସ୍ତ ଗଛ ବାୟୁମଣ୍ଡଳକୁ ପ୍ରଚୁର ଅମ୍ଳଜାନ ତ୍ୟାଗ କରନ୍ତି। ଏହି କାରଣରୁ ବୃକ୍ଷରୋପଣ ଏକ ମହତ୍‌ କାର୍ଯ୍ୟ ହିସାବରେ ପରିଗଣିତ। ପରିଶେଷରେ ଗୋଷ୍ଠୀ ସମ୍ପ୍ରଦାୟଙ୍କୁ ବାୟୁ ପ୍ରଦୂଷଣର ଉତ୍ସ, ପ୍ରଭାବ ଓ ନିରାକରଣ ବ୍ୟବସ୍ଥା ସମ୍ବନ୍ଧରେ ସଚେତନତା ସୃଷ୍ଟି ସହିତ ଶିକ୍ଷା ଓ ସହାୟତା ଦିଆଯିବା ଆବଶ୍ୟକ। ନିଜ ଗୃହ ଚାରିପାଖ ପରିଷ୍କାର ରଖିବା ସହିତ ମିଳିମିଶି ସର୍ବସାଧାରଣ ଯାନ କିମ୍ବା ସମୂହ ଭାବରେ ଯାତାୟାତ କରିବା ପାଇଁ ଉତ୍ସାହିତ କରିବା ଉଚିତ। ମନେରଖିବାକୁ ହେବ ଯେ ବାୟୁପ୍ରଦୂଷଣ ରୋକିବା ପାଇଁ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଏକୀଭୂତ କାର୍ଯ୍ୟକ୍ରମ କେବଳ ଏପରି ଏକ ନୀରବଘାତକକୁ ପ୍ରତିହତ କରିବାରେ ସମର୍ଥ l

ବିଦ୍ୟାଧର ମହାରଣା
କଳିଙ୍ଗନଗର, ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

ଏଇ ଭାରତରେ

ପ୍ରତିବର୍ଷ ଗ୍ରୀଷ୍ଣଋତୁରେ ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଯାଏ। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗଣେଶ ସନଭାଗଙ୍କ ଚେଷ୍ଟା ଯୋଗୁ...

ଫେରିଲେ ସୁନୀତା

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍‌ ସମୟରେ ମେକ୍ସିକୋ ଉପସାଗରସ୍ଥିତ...

ନିଜକୁ ଭଲପାଆନ୍ତୁ

ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା...

ଏସୀୟ ଏକତା ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏସିଆରେ ଭୂ-ରାଜନୈତିକ ଓ ଆର୍ଥିକ ସଙ୍କଟଜନିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟି କରିଛନ୍ତି। ଟ୍ରମ୍ପ୍‌ଙ୍କ ବ୍ୟବସାୟିକ କୂଟନୀତି, ସାମଗ୍ରୀ ଉପରେ ଟିକସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image