ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହାରି ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏବେ ଗ୍ରୀଷ୍ମ ପ୍ରବାହ ପାଇଁ ଏଣେ ତେଣେ ବିଶ୍ରାମ ନେଉଛନ୍ତି।

ସୂଚନା ଥାଉ କି, ଦାରିଙ୍ଗବାଡି ବ୍ଲକର ପ୍ରମୁଖ ବଜାର ଓ ମୁଖ୍ୟ ଛକ ଫୁଲବାଣୀ, ରାୟଗଡା, ଭବାନୀପାଟଣା, ରାୟପୁର, ରାଇକିଆ, ବୁଡଗୁଡା, ବାଲିଗୁଡା ଆଦି ଅଞ୍ଚଳକୁ ଯିବା ପାଇଁ ସିମନବାଡି ଛକ ରହିଛି। ଏହି ବାଟ ଦେଇ ଚାରିଆଡେ ଯାତ୍ରୀବାହୀ ବସ ଓ ଅନ୍ୟ ଗାଡି ଚଳାଚଳ କରିଥାଏ। ତେବେ ବସକୁ ଅପେକ୍ଷା କରିବା ପାଇଁ ଏକ ମାତ୍ର ବିଶ୍ରାମାଗାର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଛି, କିନ୍ତୁ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ଫ୍ୟାନ, ପାନୀୟ ଜଳ, କିମ୍ବା ଆଲୋକୀକରଣ ବ୍ୟବସ୍ଥା ଆଦି ନାହ। ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଯୋଗୁ ପୁର୍ତ୍ତିମୟ ଗନ୍ଧ ବାହାରୁଛି। ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ନ ଥିବାରୁ ଯାତ୍ରୀମାନେ ବଜାରରେ ଥିବା ଦୋକାନ ପିଣ୍ଢାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରୁଥିବା ଯାତ୍ରୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ତେଣୁ ଯାତ୍ରୀ ବିଶ୍ରାମାଗାରକୁ ରୂପାନ୍ତର କରାଯାଇ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ, ବଣିକ ସଙ୍ଘ, ପୂଜା କମିଟି ପକ୍ଷରୁ ଦାବି କରାଯାଉଛି। ଏନେଇ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି । କିନ୍ତୁ ତାର ରୂପାନ୍ତର କାର୍ଯ୍ୟ ହୋଇପାରି ନ ଥିବା ସେ କହିଛନ୍ତି । ଯଦି ପଞ୍ଚାୟତ ସମିତି କାର୍ଯ୍ୟ ନ କରେ ତେବେ ପଞ୍ଚାୟତରୁ ଆମେ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

Share