ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ ପାନୀୟ ଜଳ ସଙ୍କଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଅନିଲ କୁମାର ସେଠୀ, ପୌରଅଧିକାରୀ ଅଶୋକ କୁମାର ରାଉତ ଓ୍ବାର୍ଡ ପରିଦର୍ଶନରେ ଆସି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକମାନଙ୍କଠାରୁ ଅଭିଯୋଗ ଶୁଣି ଏହାର ସମାଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୩ ନଂ ଓ୍ବାର୍ଡର ସମସ୍ୟା ଅବଗତ ହେବା ପରେ ଗୁରୁବାର ୪ ଓ ୫ ନଂ ଓ୍ବାର୍ଡ ପରିଦର୍ଶନ କରିଥିଲେ। କେତେକ ଅଞ୍ଚଳରେ ପାଇପ୍‌ ବିଛା କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାକୁ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ପାନୀୟ ଜଳ ସଙ୍କଟକୁ ଲକ୍ଷ ରଖାଯାଇ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖୁବ୍‌ଶୀଘ୍ର ପାନୀୟ ଜଳ ଯୋଗାଣରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସୁଧାରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଖରାଦିନରେ ପାନୀୟ ଜଳ ସମସ୍ୟା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ। ଏହାକୁ ସମାଧାନ କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷକରି ଯେଉଁ ଓ୍ବାର୍ଡଗୁଡ଼ିକରେ ସମସ୍ୟା ଗୁରୁତର ରହିଛି ତାହାକୁ ପ୍ରାଥମିକତା ଭିତ୍ତିରେ ସମାଧାନ ଉଦ୍ୟମ କରାଯାଉଥିବା ଉପଜିଲାପାଳ କହିଛନ୍ତି।