ଗାଜାରେ ପରିସ୍ଥିତି ଭୟଙ୍କର: ଗୋଟିଏ ଶୌଚାଳୟ ବ୍ୟବହାର କରୁଛନ୍ତି ୧୦୦ ଜଣ

ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏବେ ଇସ୍ରାଏଲ ପକ୍ଷରୁ ଗାଜାକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା ଚଳାଇଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ରାତାରାତି ଇସ୍ରାଏଲ ବିସ୍ଫୋରଣରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ଘଟିଛି। ଗାଜାର ଦକ୍ଷିଣରେ ଥିବା ତିନୋଟି ଅଞ୍ଚଳରେ ଘନ ବୋମା ବିସ୍ଫୋରଣ ଘଟିଛି। ଆମ୍ବୁଲାନ୍ସଗୁଡିକ ଆହତମାନଙ୍କୁ ପୂର୍ବରୁ ଭରପୂର ଡାକ୍ତରଖାନାକୁ ନେଉଛନ୍ତି ଏବଂ ଅନେକ ଲୋକ ଉଦ୍ଧାର ପାଇଁ ଅପେକ୍ଷା କରି ଅଟ୍ଟାଳିକାର ତଳେ ଫସି ରହିଛନ୍ତି। ଏହି କାରଣରୁ ଗାଜାରେ ପରିସ୍ଥିତି ଭୟଙ୍କର ରହିଛି। ସେଠାରେ ପାନୀୟ ଜଳ ମିଳୁନି। ଗୋଟିଏ ଦିନରେ ମାତ୍ର ଗୋଟିଏ ଲିଟର ପାଣି ମିଳୁଛି। ଗୋଟିଏ ଶୌଚାଳୟକୁ ୧୦୦ ଜଣ ବ୍ୟବହାର କରୁଛନ୍ତି।
ଇସ୍ରାଏଲ-ହମାସ ଏପର୍ଯ୍ୟନ୍ତ ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ପ୍ରାୟ ୧୪୦୦ ଇସ୍ରାଏଲ ଏବଂ ୨,୭୫୦ ପାଲେଷ୍ଟାଇନୀୟ ଅଛନ୍ତି। ହମାସ ଆତଙ୍କବାଦୀମାନେ ପ୍ରାୟ ୨୦୦ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କୁ ବନ୍ଧକ ରଖିଛନ୍ତି। ଆମେରିକା ସମେତ ଅନ୍ୟ ଦେଶମାନେ ସେମାନଙ୍କର ନିରାପଦ ମୁକ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

Share