ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିବା ପରେ ଘଟଣା ପଦାକୁ ଆସିଛି। କାର୍ଯ୍ୟରେ ଅବହେଳା କରିଥିବା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଡିସିପି ଉମାଶଙ୍କର ଦାଶ ନିଲମ୍ବିତ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏ ଉକ୍ତ ମହିଳାଙ୍କର ପରିଚୟ ମିଳିପାରିନି। ତେବେ ମହିଳା ଜଣକ କାର୍‌ ଭିତରକୁ କେମିତି ଆସିଲେ, ପୋଲିସ କିପରି ଜାଣିପାରିଲା ନାହିଁ, ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଘଟଣାଟି ପୂରା ରହସ୍ୟଜନକ ହୋଇଯାଇଛି। ଏପରିକି ପୋଲିସର ତଦନ୍ତ ଓ କାର୍ଯ୍ୟଧାରାକୁ ନେଇ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହୋଇଛି।

ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କ କଙ୍କାଳ ମିଳିଥିବା କାର୍‌ଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ୨୦୧୯ରେ କୋରାପୁଟ ପୋଲିସ ଯାଁଳା ଅଞ୍ଚଳରେ ଚଢ଼ାଉ କରି ଉକ୍ତ କାର୍‌ ଓ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବା ସହ ଚାଲାଣକାରୀଙ୍କୁ ଗିରଫ କରିଥିଲା। ପରେ ଉକ୍ତ କାର୍‌କୁ ଯାଁଳା ଫାଣ୍ଡି ଜିମା ଦେଇଥିଲା କୋରାପୁଟ ପୋଲିସ। ଫାଣ୍ଡି ପରିସରରେ ଦୀର୍ଘ ୨ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା କାର୍‌ଟିକୁ ନେବାକୁ ଗତ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଗାଡ଼ି ମାଲିକ କୋର୍ଟରୁ ଅର୍ଡର ଧରି ପହଞ୍ଚତ୍ଥିଲେ। ଏହାପରେ ଫାଣ୍ଡି ପୋଲିସ ଗାଡ଼ିଟିକୁ ମାଲିକ ଜିମା ଦେବା ପୂର୍ବରୁ ଯାଞ୍ଚ କରିବାବେଳେ ସେଥିରୁ ଏକ ମୃତଦେହ ମିଳିଥିଲା। ତାହା ପଚି ଶଢ଼ିଯାଇ ପୋକ ସାଲୁବାଲୁ ହେଉଥିବାବେଳେ କେବଳ କଙ୍କାଳ ପଡ଼ି ରହିଥିଲା। ଏହାପରେ ପୋଲିସ ତାହାକୁ ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ କଙ୍କାଳଟି ଜଣେ ମହିଳାଙ୍କର ଓ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଥିଲା। ଏସବୁ ତଥ୍ୟକୁ ଧରି ପୋଲିସ ଚୁପ୍‌ଚାପ୍‌ ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ସହ ଥାନାରେ ମିସିଂ ରିପୋର୍ଟ ମଧ୍ୟ ଯାଞ୍ଚ କରିଥିଲା। ଏଥିସହିତ ସହରରେ ଥିବା ବିଭିନ୍ନ ଅନାଥ ଆଶ୍ରମରେ ରହୁଥିବା ମହିଳାଙ୍କ ସମ୍ବନ୍ଧରେ ସୂଚନା ସଂଗ୍ରହ କରିଥିଲା। ଏହା ସତ୍ତ୍ୱେ ମହିଳାଙ୍କର ପରିଚୟ ପାଇପାରିନି କମିଶନରେଟ ପୋଲିସ।

Share