ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର। କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ସମୟରେ ଲୋକଙ୍କର ଟାର୍ଗେଟରେ ରହିବାକୁ ପଡୁଥିଲା। ଏବେ କିନ୍ତୁ ନିଜ କର୍ମ ଜରିଆରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ୨୪ ବର୍ଷୀୟା ହରଓ୍ବିନ୍ଦରଙ୍କ ଉଚ୍ଚତା ମାତ୍ର ୩ ଫୁଟ, ୧୧ ଇଞ୍ଚ। କିନ୍ତୁ ଏହାକୁ ସେ ନିଜ ଲକ୍ଷ୍ୟର ପଥରେ ଆସିବାକୁ ଦେଇ ନ ଥିଲେ। ନିଜ ପରିଶ୍ରମ ଜରିଆରେ କେବଳ ତାଙ୍କ ସ୍ବପ୍ନକୁ ପୂରଣ କରି ନ ଥିଲେ, ବରଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଡେଜଭୋଲ୍ଟା ପ୍ରଡକ୍ସନ୍ସର ଏକ ରିପୋର୍ଟ ଅନୁଯାୟୀ ହରଓ୍ବିନ୍ଦର କୌର ଓରଫ ରୁବି ହେଉଛନ୍ତି ଭାରତର ସର୍ବକନିଷ୍ଠ ଆଇନଜୀବୀ। ହରଓ୍ବିନ୍ଦରଙ୍କର ସ୍ବପ୍ନ ଏୟାର ହୋଷ୍ଟେସ ହେବାର ଥିଲା, କିନ୍ତୁ ଉଚ୍ଚତା ହେତୁ ଏହା ପୂରଣ ହୋଇପାରିଲା ନାହଁି। ଏବେ ଜଣେ ଓକିଲ ଭାବେ ସେ ନିଜର ଏକ ପରିଚୟ ହାସଲ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କର କମ୍‌ ଉଚ୍ଚତା ପାଇଁ ସେ ଅନେକ ଚିକିତ୍ସା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ପରିସ୍ଥିତି ଏପରି ହେଲା ଯେ ଲୋକଙ୍କୁ ପରିହାସ କରିବାକୁ ସେ ରୁମରେ ତାଲା ପକାଇ ରହୁଥିଲେ। କିନ୍ତୁ ସ୍ବପ୍ନ ଦେଖିବା କେବେ ଛାଡ଼ି ନ ଥିଲେ। ସେ ଆଇନଗତ ବୃତ୍ତିରେ ପ୍ରବେଶ କରିବାକୁ ସ୍ଥିର କଲେ। ଏବେ ସେ ଜଲନ୍ଧର କୋର୍ଟରେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଓକିଲଙ୍କ ସହ ଏକ ମୋଟିଭେସନ ସ୍ପିକର ମଧ୍ୟ ଅଟନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତାଙ୍କର ହଜାର ହଜାର ଅନୁଗାମୀ ଅଛନ୍ତି।

Share