ଯେବେ ଶୁଷ୍କ ଧରାବକ୍ଷ ଉପରେ ପହିଲି ବର୍ଷାର ଛିଟା ପଡ଼େ ଏକ ହାଲ୍କା ମନମୋହକ ସୁଗନ୍ଧ ପରିବେଶକୁ ମହକାଇ ଦିଏ। ଆଉ ସେଇ ମହକ ଅନେକଙ୍କୁ ଅନ୍ୟମନସ୍କ କରିଥାଏ କିଛିକ୍ଷଣ ପାଇଁ। ତେବେ ଜାଣନ୍ତି କି କାହିଁକି ପହିଲି ବର୍ଷା ପରେ ଭୂମିରୁ ଆସେ ଏହି ମହକ। ଜାଣନ୍ତୁ ସେ ସମ୍ପର୍କରେ…
ପ୍ରକୃତରେ କହିବାକୁ ଗଲେ ବର୍ଷା ଜଳର କୌଣସି ବାସ୍ନା ନ ଥାଏ। ହେଲେ ଏହା ଯେବେ ଶୁଷ୍କ ଭୂମିକୁ ସ୍ପର୍ଶ କରେ ଓ ଧୂଳିକଣା ସଂସ୍ପର୍ଶରେ ଆସେ ସେତେବେଳେ ଏକ ହାଲ୍କା ସୁଗନ୍ଧ ବାହାରିଥାଏ। ଏହି ମହକକୁ ‘ପେଟ୍ରିକୋର’ ବୋଲି କୁହାଯାଏ। ଏହା ଗ୍ରୀକ ଶବ୍ଦ ପେଟ୍ରାରୁ ଉଦ୍ଧୃତ। ୧୯୬୪ରେ ଅଷ୍ଟ୍ରେଲିଆର ଦୁଇଜଣ ବୈଜ୍ଞାନିକ ପାଣିପାଗ ଉପରେ ଅଧ୍ୟୟନ କରି ମାଟିର ଏହି ସୁଗନ୍ଧ ପାଇଁ ଉକ୍ତ ଶବ୍ଦର ପ୍ରୟୋଗ କରିଥିଲେ। ଏହାବାଦ କ୍ୟାମ୍ବ୍ରିଜ୍ରେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜିର ପ୍ରଫେସର କୁଲେନ୍ ବୁଇ କୁହନ୍ତି, ‘ଖରାଦିନେ କିଛି ଗଛ ସୁଖିଯାଏ ଓ ତା’ ମଧ୍ୟସ୍ଥ ତୈଳୀୟ ପଦାର୍ଥ ନିର୍ଗତ ହୋଇ ବାୟୁରେ ମିଶିଯାଏ। ଯେବେ ବର୍ଷା ହୁଏ ବର୍ଷାର ବୁନ୍ଦା ସେହି ତୈଳୀୟ ପଦାର୍ଥ ସହ ମିଶେ ଓ ତାହା ସାରା ଭୂମିରେ ମିଶିଯାଏ। ଆଉ ହାଲ୍କା ସୁଗନ୍ଧ ଜାତ ହୁଏ। ସେହିଭଳି ଜିଓସ୍ମିନ ନାମକ ମାଇକ୍ରୋବ୍ ମାଟିରେ ଥିବା ଆକ୍ଟିନୋମାଇସେଟ୍ସ ବ୍ୟାକ୍ଟେରିଆ ସହ ମିଶିଲେ ବି ଏଭଳି ସୁଗନ୍ଧ ହୁଏ। ଏହାବାଦ ଓଜୋନ ସ୍ତରର କ୍ଲୋରିନ ଗ୍ୟାସ ପରି ବାସ୍ନା ଥାଏ। ବାୟୁମଣ୍ଡଳରେ ଥିବା କିଛି ପରିମାଣର ଓଜୋନ ଗ୍ୟାସ ଯେବେ ବର୍ଷାଜଳ ସହ ମିଶେ ଏଭଳି ସୁଗନ୍ଧ ସୃଷ୍ଟି ହୋଇଥାଏ। କିଛି ବୈଜ୍ଞାନିକ ଏହା ମଧ୍ୟ କହନ୍ତି ଯେ, ଯେବେ ବର୍ଷା ଜଳ ଭୂମିର ଛିଦ୍ରଯୁକ୍ତ ପୃଷ୍ଠଭାଗ ଉପରେ ପଡ଼େ ତାହା ପବନର ଛୋଟ ଛୋଟ ଫୋଟକାରେ ପରିଣତ ହୋଇ ଉପରକୁ ଉଠେ, ଯାହାକୁ ଏରୋସୋଲ କୁହାଯାଏ। ଏହି ଏରୋସୋଲ ମଧ୍ୟ ମହକ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।