ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌ କରି ଚମକି ଉଠେ। ଏଭଳି ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଇ ମୁହୂର୍ତ୍ତକୁ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବା ସହ ଫେରିଗଲା ବେଳେ ସ୍ମୃତି ସାଉଁଟିବା ଉଦ୍ଦେଶ୍ୟରେ ସାଙ୍ଗରେ କିଛି ସଂଗ୍ରହ କରି ନେଇଥାନ୍ତି। ମାତ୍ର ଏହି ଶାମୁକା ଉପରେ ପଡ଼ିଛି ଏବେ ପଶ୍ଚିମବଙ୍ଗ ମାଫିଆଙ୍କ ନଜର। ଦଲାଲମାନେ ସ୍ଥାନୀୟ ଲୋକଙ୍କୁ ଅର୍ଥ ଲାଳସା ଦେଇ ଶାମୁକା ସଂଗ୍ରହ କରିନେଉଛନ୍ତି। ଆଗଭଳି ଆଉ ବେଳାଭୂମିରେ ଶାମୁକା ଦେଖିବାକୁ ମିଳୁନି। ସତେଯେମିତି ଚମକ ହରାଇ ବସିଛି।
ବାଲେଶ୍ୱର ଜିଲା ଅଧୀନ ଚାନ୍ଦିପୁର ବେଳାଭୂମି, ବଳରାମଗଡ଼ି, ବାହାବଳପୁର, କଷାଫଳ, ବାଲିଆପାଳର ଚଉମୁଖ, ଡଗରା, ଭୋଗରାଇର ଉଦୟପୁର, ତାଳସାରୀ ସମେତ ବାହାନଗା ଓ ଗୋପାଳପୁର ଉପକୂଳରେ ମହିଳା ଓ ପୁରୁଷମାନେ ଅହରହ ଜାଲ ଧରି ଶାମୁକା ଧରିବାରେ ଲାଗିଥାନ୍ତି। ପ୍ରତ୍ୟେକ ଦିନ ସମୁଦ୍ର ବେଳାଭୂମିରେ ଛୋଟ ଫାଶ ଥିବା ଜାଲ ବସା ଯାଇଥାଏ। ସମୁଦ୍ରର ଜୁଆର ଆସିଲେ ପାଣି ସହ ଜୀବନ୍ତ ଓ ମୃତ ଶାମୁକା ଭାସି ଆସିଥାନ୍ତି। ଜୁଆର ଛାଡ଼ିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି। ସଂଗୃହୀତ ଶାମୁକା ୫୦କେଜି ବସ୍ତାକୁ ୫୦ରୁ ୧୦୦ଟଙ୍କା ଦରରେ ଦଲାଲମାନେ କିଣୁଛନ୍ତି। ବେଆଇନ ଭାବେ ଏହି ଶାମୁକାକୁ ପଶ୍ଚିମବଙ୍ଗକୁ ରପ୍ତାନି କରି କୁଇଣ୍ଟାଲ ପ୍ରତି ୪ରୁ ୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଶାମୁକାରେ ମୁଖ୍ୟତଃ ମାଛ ଖାଦ୍ୟ ଓ ଦାନା ତିଆରି ହୋଇଥାଏ। ଏହାବ୍ୟତୀତ କୁକୁଡ଼ା ଦାନା, ଚୂନ ଓ ଘର ତିଆରି ଉପକରଣ ମଧ୍ୟ ତିଆରି ହୋଇଥାଏ। ଶାମୁକାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥିବାରୁ ମାଛ ବୃଦ୍ଧି ଓ କୁକୁଡ଼ାର ଅଣ୍ଡା ଗୁଣବତ୍ତା ବୃଦ୍ଧି କରିବାରେ ତାହା ସହାୟକ ହୋଇଥାଏ। ତେବେ ଓଡ଼ିଶାରୁ ଅତି ଶସ୍ତାରେ ଶାମୁକା ଚାଲାଣ ବେଳେ ଏହାର ଗୁଣ୍ଡ ଦାନାକୁ ଓଡ଼ିଶା ବେପାରୀ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷରେ ପଡ଼ିରହିଥିବା ଶାମୁକାର ଦୁର୍ଗନ୍ଧରେ ପର୍ଯ୍ୟଟକମାନେ ବେଳାଭୂମିକୁ ଆସିବାକୁ ମୁହଁ ମୋଡୁଛନ୍ତି। ବିଶେଷକରି ଭୋଗରାଇ ଓ ବାଲିଆପାଳ ସମୁଦ୍ର ଉପକୂଳକୁ ପ୍ରଜନନ ଋତୁରେ ଅଲିଭ ରିଡ୍‌ଲେ ଅଣ୍ଡା ଦେବାକୁ ଭୟରେ ଆସୁନାହାନ୍ତି।

ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସମୁଦ୍ରରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ। ଶାମୁକା ଧରିବାରେ ସରକାରୀ ନିୟମ ଲାଗୁ ହେଲେ ରାଜସ୍ବ ମିଳିବା ସହ ପରିବେଶ ସନ୍ତୁଳନ ରହିପାରନ୍ତା।
– ଡ. ସିଦ୍ଧାର୍ଥ ପତି, ପରିବେଶ ବିଜ୍ଞାନୀ।

ଶାମୁକା ସବୁ ଗୋଟାଇ ବେଳାଭୂମିରେ ଗଦା କରାଯାଉଥିବାରୁ ବେଳାଭୂମି ଅପରିଷ୍କାର ହୋଇଥାଏ। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ଯୋଗୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦ୍ୱିଧା ପ୍ରକାଶ କରନ୍ତି।
-ଅଧ୍ୟାପକ ଅନିଲ କୁମାର ଭୂୟାଁ, ପରିବେଶପ୍ରେମୀ

Share