ଦାରିଙ୍ଗବାଡ଼ି,୧୩।୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ସାରୁମାହା ସାହି ନିକଟ ବିଲରୁ ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହେଲେ ସିମନବାଡ଼ି ପଞ୍ଚାୟତ ଜୁଡାବାର କୁମୁଟି ନାୟକ(୬୦)। ବିଳମ୍ବିତ ରାତି ହୋଇଥିବାରୁ କୁମୁଟିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇପାରି ନ ଥିଲା । ସାପ କାମୁଡିବାରୁ କୁମୁଟିଙ୍କ ମୃତ ହୋଇଥିବା ପରିବାର ଲୋକ କହିଛନ୍ତି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି ।
ସୂଚନାେଯୋଗ୍ୟ, ଗତ ଦୁଇ ଦିନ ତଳେ କୁମୁଟିଙ୍କୁ ଜଙ୍ଗଲିଆ ବିଷାକ୍ତ ସାପ କାମୁଡ଼ି ଥିବା ବେଳେ ନିଶାଶକ୍ତ ଅବସ୍ଥାରେ ସେ ଉକ୍ତ ସାପକୁ ସେ ମଧ୍ୟ କାମୁଡ଼ି ଦେଇଥିଲେ। ଏପରିକି ଉକ୍ତ ସାପକୁ ବେକରେ ପକାଇ ସିମନବାଡ଼ି ବଜାର ସମେତ ବିଭିନ୍ନ ସାହିରେ ବୁଲିଥିଲେ । ମଙ୍ଗଳବାର ବିଲରେ ପଡ଼ିଥିବା ଦେଖି ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।