ବିହାରର ଖଗରିଆରେ ଜଣେ କେଳାଙ୍କୁ ଡିଜେ ସାଉଣ୍ଡ୍ରେ ସାପ ଖେଳାଇବା ମହଙ୍ଗା ପଡ଼ିଛି। ଖେଳ ସମୟରେ ବିଷଧର ସାପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବେଲଦୁର ଅଞ୍ଚଳର ପାନସଲାଓ୍ବା ଗ୍ରାମରେ ଘଟିଛି। କିଛି ଲୋକ ଆଞ୍ଚଳିକ ପର୍ବ କର୍ମା-ଧର୍ମର ମୂର୍ତ୍ତି ବୁଡ଼ାଇବାକୁ କୋସି ଘାଟକୁ ଯାଉଥିଲେ। ଏହି ସମୟରେ ଗାଁର ଶମ୍ଭୁ ସିଂହ ଏକ ବିଷଧର ସାପ ସହିତ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇ ଖେଳ ଦେଖାଇଥିଲେ। ସେ ଯେତେବେଳେ ସାପଖେଳ ଦେଖାଉଥିଲେ ଦେଖଣାହାରୀମାନେ ଶମ୍ଭୁଙ୍କୁ ତାଳି ବଜାଇ ଉତ୍ସାହିତ କରୁଥିଲେ। ଏହି ସମୟରେ ଶମ୍ଭୁଙ୍କ ପିଠିରେ ସାପ ଦଂଶନ କରିଥିଲା। ସାପ କାମୁଡ଼ିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଶମ୍ଭୁ ଡିଜେ ସାଉଣ୍ଡ୍ରେ ଖେଳ ଦେଖାଇଥିଲେ। ହଠାତ୍ ସେ ବେହୋସ ହୋଇ ତଳେ ପଡ଼ିଗଲେ। ଫଳରେ ମୂର୍ତ୍ତି ବିସର୍ଜନ ଖୁସି ମଉଳି ଯାଇଥିଲା। ଗ୍ରାମବାସୀ ଶମ୍ଭୁଙ୍କୁ ଉଠାଇ ହସ୍ପିଟାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।