Categories: ମେଟ୍ରୋ

ପଞ୍ଜୁରୀ ଭିତରେ ଚଢ଼େଇ ଛୁଆଙ୍କୁ ମାରି ଖାଇଲା ନାଗସାପ: ପରେ ଅବସ୍ଥା ହେଲା ଏମିତି

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଙ୍କୀ ରଗଡ଼ି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗୁରୁବାର ରାତିରେ ପୋଷା ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ ଦେଖିବାକୁ ପାଇଥିଲେ॥ ଭୟଭୀତ ହୋଇ ସାପଟିକୁ ବାହାର କରିବାକୁ ସ୍ନେକ୍‌ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।
ପଞ୍ଜୁରୀ ଭିତରେ ନାଗ ପଶି ତିନୋଟି ବଜରିଗର ଚଢେଇଙ୍କୁ ଖାଇଥିଲା। ତା’ପରେ ବସା ଭିତରେ ଅଣ୍ଡାକୁ ଖାଇବା ପାଇଁ ଉଦ୍ୟମ କରିଥିଲା। ଏହା ଦେଖି ଅନ୍ୟ ତିନୋଟି ଚଢ଼େଇ ସାପକୁ ଘେରି ଯାଇଥିଲେ। କିଛି ସମୟ ଏହିପରି ଛକାପଞ୍ଝା ଲାଗି ରହିଥିଲା। ମା’ ଚଢ଼େଇମାନଙ୍କ ଆକ୍ରମଣରେ ଫେରିବା ବାଟ ନ ପାଇ ସାପଟି ବାଧ୍ୟ ହୋଇ ଗିଳିଥିବା ଚଢ଼େଇଙ୍କୁ ବାନ୍ତି କରିଥିଲା ।
ତଥାପି ମା’ ଚଢ଼େଇମାନେ ଆକ୍ରମଣ ଜାରି ରଖିଥିଲେ। ଶେଷରେ ସାପଟି ନିଜକୁ ରକ୍ଷା କରିବାକୁ ଯାଇ ଏକ ମାଟିପାତ୍ର ଭିତରେ ପଶି ଯାଇଥିଲା। ସ୍ନେକ ହେଲ୍ପଲାଇନ୍‌ ସଦସ୍ୟମାନେ ସାପଟିକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ମା’ ଚଢ଼େଇମାନଙ୍କ ରାଗ କମି ନ ଥିଲା। ସେ ବାରମ୍ବାର ସାପ ମୁଣ୍ଡକୁ ନିଜ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ। ଫଳରେ ସାପଟି ଆଉ ବସା ଭିତରୁ ଆଦୌ ବାହାରି ନ ଥିଲା। ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରୀ ଭିତରେ ହାତ ପୂରାଇ ପ୍ରଥମେ ଚଢ଼େଇ ତିନୋଟିକୁ ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ମା’ ଚଢ଼େଇ ୩ଟି କୁ ପଞ୍ଜୁରୀରୁ ବାହାର କରି ସାରିବା ପରେ ସାଟି ଆପେ ଆପେ ବସା ଭିତରୁ ବାହାରି ଆସିଥିଲା। ତା’ପରେ ପଞ୍ଜୁରୀ ଭିତରୁ ସାପ ସହ ଅନ୍ୟ ତିନୋଟି ମୃତ ଚଢେଇକୁ ଉଦ୍ଧାର କରାଯାଇଥିଲା। ସାପଟିକୁ ଗାଁଠାରୁ ଦୂରରେ ଥିବା ଏକ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।
ପଞ୍ଜୁରୀ ତଳେ ଏକ କଣା ଥିବାରୁ ସେହି ଫାଙ୍କ ଦେଇ ସାଢ଼େ ୩ ଫୁଟ ଲମ୍ବର ନାଗ ସାପଟି ପଞ୍ଜୁରି ଭିତରେ ପଶିଥିଲା ବୋଲି ସ୍ନେକ ହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି।

Share