Categories: ଫୁରସତ

ମାଟି ଦେଇଛି ପରିଚୟ

ଖୁସିରେ ମାଟି କଣ୍ଢେଇ ଗଢିବାକୁ ଭଲ ପାଉଥିଲେ। କିନ୍ତୁ ଆଜି ସେଇ
ମାଟି କଣ୍ଢେଇ ଏମାନଙ୍କର
ପରିଚୟ ପାଲଟିଛି…

ଦିନେ ଯେତେବେଳେ ପିଲାଟିଏ ଖେଳିବା ବୟସର ହେଉଥିଲା ମାଟି ଥିଲା ତା’ ପାଇଁ ପ୍ରଥମ ଆକର୍ଷଣ। ମାଟିରେ ଖେଳିବା ସହିତ ମାଟିକୁ ନେଇ ବିଭିନ୍ନ ଆକୃତି ଗଢିବାରେ ପିଲାଟି ଖୁସି ପାଉଥିଲା। ଆଉ ଏଇଠି ହିଁ ପଡୁଥିଲା ପିଲାଟିର ସର୍ଜନଶୀଳତାର ପ୍ରଥମ ମୂଳଦୁଆ। ପୁଅଟିଏ ହୋଇଥିଲେ ମାଟିରେ ବିଭିନ୍ନ ମୂର୍ତ୍ତି ଗଢୁଥିଲା, ଆଉ ଝିଅଟିଏ ହୋଇଥିଲେ ମାଟି ଚୁଲି, ମାଟି ହାଣ୍ଡି କରି ମିଛି ମିଛିକା ଖେଳ ଖେଳୁଥିଲା। ତାଙ୍କର ଏଇ ଖେଳକୁ ଦେଖି ସହଜରେ ବୁଝି ହେଉଥିଲା ଏହା ଝିଅଟିଏ କରିଛି ଓ ଏହା ପୁଅଟିଏ କରିଛି। ସମୟ କ୍ରମେ ପିଲା ବଡ ହେଉଥିଲେ। ତେଣୁ ମାଟି ହିଁ ପିଲାମାନଙ୍କ ପ୍ରଥମ ସୃଜନଶୀଳତାର ମୁକ ସାକ୍ଷୀ ଥିଲା। ଆଉ ଏଇ ମାଟିର କଳା କାରିଗରୀ ପରବର୍ତ୍ତୀ ସମୟରେ ଅନେକଙ୍କର ପରିଚୟ ତିଆରି କଲା। ଆମେ ଏଠାରେ ସେମିତି କେତେଜଣ ମାଟି କାରିଗରଙ୍କ ସମ୍ପର୍କରେ ଉଲ୍ଲେଖ କରୁଛୁ ଯେଉଁମାନଙ୍କୁ ମାଟି ଦେଇଛି ପରିଚୟ।
ମାଟି କଣ୍ଢେଇ ଦେଇଛି ପରିଚୟ: ମାଟିପାତ୍ର ଗଢ଼ିବା ପାଇଁ ଯେପରି କୁମ୍ଭାର କାରିଗରଙ୍କ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି। ସେମିତି ମାଟିର କଣ୍ଢେଇ ଓ ମୂର୍ତ୍ତି ଗଢୁଥିବା ଶିଳ୍ପୀଙ୍କ କେତେକ ପଦ୍ଧତି ରହିଛି। ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ କୁଇବାହାଲ ଗାଁର ମୁକୁନ୍ଦ ରଣା କୁହନ୍ତି, ମୋ ବାପା ବୃଷଭ ରଣାଙ୍କଠାରୁ ହସ୍ତଶିଳ୍ପ କାମ ଶିଖିଥିଲି। ଏହା ଆମର କୌଳିକ ବୃତ୍ତି । ମାଟିର ହାତୀ, ଘୋଡ଼ା, ସୁଖୀ ପରିବାର, ଲଙ୍କାପୋଡ଼ି ହନୁମାନ, ତୁଳସୀ ଚଉଁରା, ବିଭିନ୍ନ ପଶୁପକ୍ଷୀଙ୍କ କଣ୍ଢେଇ ତିଆରି କରିଥାଏ। ତିଆରି କରିବା ପରେ କଣ୍ଢେଇକୁ ଖରାରେ ଶୁଖାଇ ସେଥିରେ ରଙ୍ଗ ଦେଇଥାଉ। ଆଉ କେତେକ ମାଟିର କଳାକୃତିକୁ ଭାଟିରେ ପୋଡ଼ି ସେଥିରେ ରଙ୍ଗ ଦେଇଥାଉ। ୩୩ ବର୍ଷ ଧରି ଏଇ କାମ କରିଆସୁଛି। ଏହି ମୂର୍ତ୍ତି କାମ ପାଇଁ ଦିଲ୍ଲୀ, କୋଲକାତା, ଡେରାଡ଼ୁନ, ନୈନିତାଲ, ଅହମ୍ମଦବାଦ, କଲିକତା, ଚେନାଇ, ବମ୍ବେ ଆଦି ଅନେକ ସହରକୁ ଯାଇଛି। ଏଥିପାଇଁ ୨୦୦୯ ମସିହାରେ ରାଜ୍ୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର, ୨୦୧୭ ମସିହାରେ ଜାତୀୟ ସ୍ତରୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ମିଳିଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ଏକାଧିକ ପୁରସ୍କାର ମିଳିଛି। ବିଭିନ୍ନ ଅଞ୍ଚଳରେ ଆୟୋଜିତ ମେଳା ଯଥା ତୋଷାଳି, ଶିଶିର ସରସ ଆଦି ହସ୍ତଶିଳ୍ପ ମେଳାରେ ମାଟିର ବିଭିନ୍ନ କଣ୍ଢେଇ ବିକ୍ରି କରିବାକୁ ନେଇଥାଏ। ଆଜି ମୁଁ ବହୁତ ଖୁସି ଯେ, ପିଲାବେଳେ ଏଇ ଖୁସିରେ ଖୁସିରେ ଗଢୁଥିବା ମାଟି କଳାକୃତୀ ଆଜି ମତେ ପରିଚୟ ଦେଇଛି।
ମାଟି କଣ୍ଢେଇ ଦେଉଛି ରୋଜଗାର: ପୁରୀ ଜିଲା ପାରିକୁଦ ଅଞ୍ଚଳର ଶିଳ୍ପୀ ରବୀନ୍ଦ୍ର ପ୍ରଧାନ। ମାଟି କଣ୍ଢେଇ ଶିଳ୍ପୀ ଭାବରେ ସେ ବେଶ୍‌ ପରିଚିତ। ମାଟି ଶିଳ୍ପୀ ହେବା ସମ୍ପର୍କରେ ସେ କୁହନ୍ତି, ‘ଆମ ଅଞ୍ଚଳରେ ବିଭିନ୍ନ ପୂଜାପାର୍ବଣ ସମୟରେ ବିଭିନ୍ନ ମୂର୍ତ୍ତି ପାଇଁ ବରାଦ ଆସିଥାଏ। ତେଣୁ ମୁଁ ବିଭିନ୍ନ ଦେବୀଦେବତା ଯେମିତିକି ଗଣେଶ, ଗଜଲକ୍ଷ୍ମୀ, ସରସ୍ବତୀ, କାଳୀଙ୍କର ମୂର୍ତ୍ତି ଗଢ଼ିଥାଏ। ଏହାବାଦ ଖାଲି ସମୟରେ ମାଟିର ବୁଦ୍ଧମୂର୍ତ୍ତି, ବାଘ, ଗାଈ, ଚଢେଇ, ପକ୍ଷୀ ଆଦି ବିଭିନ୍ନ କଣ୍ଢେଇ ଆଦି ତିଆରି କରିଥାଏ। ଯେଉଁଥିପାଇଁ ମୋତେ ଏକାଧିକ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ମାଟିର ମୂର୍ତ୍ତି ଗଢିବା ପାଇଁ ମତେ ମତେ ଏକ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିବାକୁ ପଡ଼ିଥାଏ। ପ୍ରଥମେ ଓଦାମାଟିକୁ ଚକଟି ଏକ ଅଲଗା ସ୍ଥାନରେ ରଖିବାକୁ ପଡ଼େ । ତାପରେ ଆବଶ୍ୟକ ପରିମାଣର ବାଲି ମିଶାଇ ମାଟିପିଣ୍ଡି ବା ଗୁଳାକରି ସେଥିରୁ ଗୋଡ଼ି ବଛାଯାଇଥାଏ। ତା’ପରେ ଛାଞ୍ଚରେ ସେହି ଚକଟାମାଟିକୁ ରଖି ବିଭିନ୍ନ କଳାକୃତି ଗଢିଥାଉ। ଛାଞ୍ଚରେ ହେଉ ଅବା ହାତତିଆରି ହେଉ, କଣ୍ଢେଇଗୁଡ଼ିକ ରୂପ ନେବାପରେ ଛାଇରେ ଶୁଖେଇବାକୁ ପଡ଼େ। ଯେପରି ଅଳ୍ପ ଅଳ୍ପ ଓଦା ରହିପାରିବ ସେଥିପ୍ରତି ନଜର ରଖିବାକୁ ପଡ଼ିଥାଏ। ପରେ ପିଣ୍ଡ, ପିଟଣା ଓ ଗେଣ୍ଡା ସାହାଯ୍ୟରେ ସେହି ଓଦାମାଟିର କଣ୍ଢେଇକୁ ଫିନିସିଙ୍ଗ କରାଯାଇଥାଏ। ପରେ ସେଗୁଡ଼ିକୁ ଖରାରେ ଶୁଖାଯାଇଥାଏ। ଏହାପରେ ଖଡ଼ି ବୋଳାଯାଇ ଶୁଖାଯାଇ ସେଥିରେ ବିଭିନ୍ନ ରଙ୍ଗ ବୋଳାଯାଇଥାଏ। ଆଜିକାଲି ବିଭିନ୍ନ ମେଳା ଓ ପ୍ରଦର୍ଶନୀ ଆଦିରେ ଏହି କଣ୍ଢେଇଗୁଡିକର ବେଶ୍‌ ଚାହିଦା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ କଳାକାରମାନେ ଏଇ ମାଟି କଣ୍ଢେଇ ଗଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଯାହା ଏବେ ସେମାନଙ୍କୁ ଏକ ଭଲ ରୋଜଗାର ବି ଦେଇ ପାରୁଛି।
କଳା ମତେ ଦେଇଛି ସମ୍ମାନ: ଛୋଟବେଳେ ଘରେ ମା’ଙ୍କୁ କଣ୍ଢେଇ ତିଆରି କରିବାର ଦେଖିଲେ ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ସମୟକ୍ରମେ ଏହି କଳା ତାଙ୍କୁ ପରିଚୟ ଦେଇଛି। ଅନ୍ୟପକ୍ଷେ ନାରୀର ବାଲ୍ୟ ଅବସ୍ଥାରେ ଝିଅ ରୂପ, ତା’ ପରେ କୁଆଁରୀ ରୂପ ଏବଂ ବିବାହ ବେଳେ ନବବଧୂ ବେଶର ରୂପଚର୍ଚ୍ଚା ସହିତ ତା’ର ପରିଚୟ ଓ ଭାବନାରେ କି ପରିବର୍ତ୍ତନ ଘଟିଥାଏ ତାହାକୁ ନେଇ ମୋ କଳ୍ପନାର କଳାଦୁନିଆରେ ଭିନ୍ନ ଏକ କଳାକୃତି ସୃଷ୍ଟି କରିପାରିଛି । ସେହିପରି ଆଦିବାସୀ କଳାକୁ ନେଇ ପାରମ୍ପରିକ ଓ ଆଧୁନିକଶୈଳୀରେ ମୂର୍ତ୍ତି ତିଆରି କରିଥାଏ। ମହାରାଷ୍ଟ୍ରରେ କେଭିଆଇସିରେ ପ୍ରାୟ ୧୨ବର୍ଷ ଧରି ସିନିୟର ଇନ୍‌ଷ୍ଟ୍ରକ୍ଟର ଭାବେ କାମ କରିଥିଲି। ଭୁବନେଶ୍ୱର, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ସହରରେ ଆୟୋଜିତ ସେରାମିକ ଓ ଟେରାକୋଟା ଶିବିରରେ ଯୋଗଦେଇ କଳାକୃତି କାମ କରିଛି। ମହାରାଷ୍ଟ୍ର, ଭୋପାଳ, ଖଜୁରାହୋ-ମଧ୍ୟପ୍ରଦେଶ, ମୁମ୍ବାଇ, ପୁରୀ ଆଦି ସ୍ଥାନରେ ସେରାମିକ୍‌ ଓ୍ବାର୍କଶପ ଶିବିରରେ ଯୋଗଦେଇଛି। ବିଶେଷକରି ମୋ କଳାକୃତିରେ ମା’ ଓ ଶିଶୁ ମଧ୍ୟରେ ଖେଳକୌତୁକ, ନବଗୁଞ୍ଜର, ନବବଧୂ, ନାରୀ ସମ୍ବନ୍ଧ, କାମଧେନୁ, ଅନନ୍ତଶୟନ, କୃଷ୍ଣଲୀଳା, ସର୍ବଶକ୍ତିମାନ୍‌, ପୁମା-ପୁରୁଷ, ରତିରହସ୍ୟ, ତନ୍ତ୍ରରୂପ- ଛିନ୍ନମସ୍ତା, ମା’ଦୁର୍ଗା, ଗଜଉଦ୍ଧାରଣ। ସେହିପରି ପେଣ୍ଟିଂରେ ହନିମୁନ୍‌ ଯୋଡ଼ି, ଶିକ୍ଷାରେ ବୋଝ ଇତ୍ୟାଦି ସ୍ଥପତି କଳାକୃତି ତିଆରି କରିପାରିଛି। ଏମିତିରେ ସାଉଥ୍‌ସେଣ୍ଟର ଜୋନ୍‌, ଆଇଆଇଟିଏଚ୍‌ ନୂଆଦିଲ୍ଲୀ, ରାଷ୍ଟ୍ରୀୟ ଲଳିତକଳା ଏକାଡେମୀଠାରେ ମୋର ହାତଗଢ଼ା କେତେକ ସେରାମିକ୍‌ କଳାକୃତି ସ୍ଥାନ ପାଇଛି। ସେହିପରି ଆମେରିକାରେ ମଧ୍ୟ ଟାଟୁଲେଡି, ଯାହାକି ଜଣେ ଆଦିବାସୀ ନାରୀ ହସ୍ତରେ ଟାଟୁର କଳାକୃତିି। ଓଡ଼ିଶାରୁ ରାଜ୍ୟ ହସ୍ତକଳା ପୁରସ୍କାର, ନାଗପୁରରେ ସର୍ବଭାରତୀୟ ପେଣ୍ଟିଂକଳା ପୁରସ୍କାର, ରାଜ୍ୟସ୍ତରୀୟ ଅରୂପା ପୁରସ୍କାର, ଚଳିତବର୍ଷ ୨୦୨୩ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ ତରଫରୁ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏସବୁ ହସ୍ତକଳା ପାଇଁ ସମ୍ଭବ ହୋଇପାରିଛି। ସେରାମିକ୍‌ ସମ୍ପର୍କରେ ଏତିକି କହିବି -ଏହା ସାଧାରଣ ମାଟିଠାରୁ ଭିନ୍ନ। ଏହାକୁ କିଛି ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡ଼ାଯାଇଥାଏ। ସେରାମିକ୍‌ରେ ନା ମେଟାଲିକ୍‌ , ନା କାରବୋନିକ୍‌, ଏହା ଅକାବୋନିକ୍‌ ନନମେଟାଲିକ୍‌ ସାମଗ୍ରୀ। ଏହା ତିଆରିବେଳେ ସାଧାରଣତଃ କଠିନ ରାସାୟନିକ ରୂପରେ ନନ ରେୟ୍ୟାକ୍‌ଟିଭ ହୋଇଥାଏ। ଏହା କ୍ରିଷ୍ଟାଲ ଓ ଗ୍ଲସୀ ଭଳି ଦେଖାଯାଏ। ଯଦି ପୋଡ଼ିଲା ପରେ ସେରାମିକ ପାତ୍ରରେ ଛିଦ୍ର ରଖାଯାଏ ତାହା ମଧ୍ୟ ସେମିତି ରହିଥାଏ। ସେରାମିକ୍‌ ସାମଗ୍ରୀ ତିଆରିରେ (୧୧୫୦ ରୁ ୧୨୫୦ ଡିଗ୍ରୀ ସେଲସିୟସ) ଉଚ୍ଚମାନର ତାପର ଆବଶ୍ୟକତା ରହିଛି। ତେବେ ସେରାମିକ୍‌ର ବିଭିନ୍ନ ମୂର୍ତ୍ତି ହେଉ କି ଅନ୍ୟାନ୍ୟ କେତେକ ସାମଗ୍ରୀ ଏହା ଖୁବ୍‌ ଚିତ୍ତାକର୍ଷକ । ଏହି କଳାକୃତିର ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ଏହି କଳା ପ୍ରତି ନୂତନ ପିଢ଼ିଙ୍କ ଆଗ୍ରହ ବଢୁଛି।
ଗୋବର କଣ୍ଢେଇର ମୂଲ ମିଳିଛି: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ହସ୍ତଶିଳ୍ପ ଓ କଳାକାରିଗରି ଦେଖିବାକୁ ମିଳେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କରଡ଼ଗାଡ଼ିଆ ଗାଁର ଗୋବରତିଆରି କଣ୍ଢେଇର ପରିଚୟ ରହିଛି। ଏ ସମ୍ପର୍କରେ ଶିଳ୍ପୀ ମଞ୍ଜୁଲତା ମହାପାତ୍ର କୁହନ୍ତି, ପ୍ରାୟ ୫୦ ବର୍ଷ ଧରି ଗୋବରରେ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିଆସୁଛି। ଏଥିପାଇଁ ଅନେକ ସ୍ଥାନରୁ ପୁରସ୍କୃତ ହୋଇଛି। ଏହି କଣ୍ଢେଇ ତିଆରି ପୂର୍ବରୁ ପ୍ରଥମେ ଗାଈ ଗୋବର ଏବଂ କାଠ କଟାଯାଉଥିବା କରତଗୁଣ୍ଡ ସଂଗ୍ରହ କରି ରଖିବାକୁ ହୁଏ। ତା’ପରେ ଗୋବରରେ କରତଗୁଣ୍ଡ ଓ ଫେବିକଲ ଅଠା ମିଶାଇ ଭଲଭାବେ ଚକଟି କଳାକୃତିର ଛାଞ୍ଚରେ ସେହି ଚକଟାକୁ ପୂରାଇବାକୁ ହୁଏ। ତା’ପରେ କଳାକୃତିର ଆକୃତି ତିଆରି ହୋଇଥାଏ। ତା’ପରେ ଆବଶ୍ୟକ ପଡ଼ୁଥିବା ଗୋବରରେ ବିଶେଷକରି ପାରା, କାଉ, ଶୁଆ ଆଦି ଚଢ଼େଇ ସହ ହାତୀ, ଘୋଡ଼ା, ମଇଁଷି, ଭାଲୁ, ଫୁଲଦାନି ଓ ପୁଅଝିଅ କଣ୍ଢେଇ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ଆକୃତିକୁ ତିଆରି କରାଯାଇଥାଏ। ତା’ପରେ କେତେକ କଣ୍ଢେଇର ବିଭିନ୍ନ ଅଂଶ ଓ ଗଣ୍ଡି, ତା’ପରେ ମୁଣ୍ଡ, ପରେ ଗୋଡ଼ ଏବଂ ଅନ୍ୟ ଭାଗକୁ ଛାଞ୍ଚରୁ ବାହାରକରି ଖରାରେ ଶୁଖାଇବାକୁ ପଡ଼ିଥାଏ। ଏହାପରେ ବାଲିକାଗଜକୁ ହାଲୁକାରେ ଘଷିଥାଏ। ଏହାଦ୍ୱାର କଣ୍ଢେଇଟି ଚିକ୍କଣ ଦିଶେ। ତା’ପରେ କଣ୍ଢେଇରେ ଖଡ଼ିଗୁଣ୍ଡର ପ୍ରଲେପ ବୋଳି କିଛି ସମୟ ଖରାରେ ଶୁଖାଇବାକୁ ହୁଏ। ପରେ ସେଥିରେ ବିଭିନ୍ନ ରଙ୍ଗ ବୋଳାଯାଇଥାଏ। ଗୋଟିଏ ଗୋଟିଏ କଣ୍ଢେଇ କଳାକୃତିକୁ ୧୦ରୁ ଆରମ୍ଭକରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ସେହିପରି ଗଞ୍ଜାମ ଜିଲାର ପୋଲସରା ବ୍ଲକ ଅଧୀନ ମଥୁରା ଗାଁର ଶିଳ୍ପୀ ଅବନ୍ତୀ ମହାରଣା କୁହନ୍ତି, ଅଝଟ ଶିଶୁଙ୍କୁ ଖୁସି କରାଇବାରେ କଣ୍ଢେଇର ଭୂମିକା ରହିଛି। ଆମ ଗାଁରେ ମହିଳା ହସ୍ତଶିଳ୍ପୀମାନେ ଗୋବର କଣ୍ଢେଇ ତିଆରି କରିଥାନ୍ତି। ଗୋବର କଣ୍ଢେଇ ପାଇଁ ପ୍ରଥମେ ଗାଈ ଗୋବର ଏବଂ ପାଉଁଶ ମିଶାଇ ଚକଟା ଯାଇଥାଏ। ତା’ପରେ ସେଥିରୁ ଖଦଡ଼ିଆ ଅଂଶକୁ ବାହାର କରି ଅବଶିଷ୍ଟକୁ ବିଭିନ୍ନ କଳାକୃତି ଛାଞ୍ଚରେ ରଖି ଖରାରେ ଶୁଖାଇଥାଉ। ଏହାପରେ କଣ୍ଢେଇର ଆକାର ତିଆରି ହୁଏ। ପରେ କଣ୍ଢେଇ ପାଇଁ ଆବଶ୍ୟକ ହାତ, ଗୋଡ଼, ମୁଣ୍ଡ ଲଗାଯାଇଥାଏ। ପରେ ଏହାକୁ ଖରାରେ ଶୁଖେଇବାକୁ ହୁଏ। ସେହି କଳାକୃତିକୁ ମସୃଣ କରାଯିବା ପରେ ପୂର୍ବରୁ ରଖାଯାଇଥିବା ଆପଡ଼ା (କଇଆଁ ଅଠାର ପ୍ରଲେପ) ଲଗାଯାଇଥାଏ। ତା’ପରେ କଣ୍ଢେଇକୁ ଖରାରେ ଶୁଖାଯାଇଥାଏ। ଏହାର ଔଜଲତା ପାଇଁ ମାଟିତେଲ ବା କିରୋସିନ ସହିତ ସୀମାଝୁଣାର ସମାନୁପାତ ମିଶ୍ରଣ କରି ଚୁଲି ନିଆଁରେ ପ୍ରସ୍ତୁତ ରୋବଣ (ଜଉ ସଦୃଶ୍ୟ)ର ପ୍ରଲେପ ବୋଳାଯାଇଥାଏ। ଏମିତି ରେ ଗୋବର କଣ୍ଢେଇ ତିଆରି ହୁଏ। ଶୀତ ଓ ଖରାଦିନେ ଗୋବର କଣ୍ଡେଇ ତିଆରି ପାଇଁ ଭଲ ସମୟ । କାରଣ ଗୋବର କଣ୍ଢେଇ ତିଆରି ପାଇଁ ଖରାର ଆବଶ୍ୟକତା ରହିଛି। ଆଜିକାଲି ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୋବର କଣ୍ଢେଇ ତିଆରି କରୁଛନ୍ତି।
ଟେରାକୋଟାରେ ନାଁ ହୋଇଛି: ଇତିହାସରୁ ଜଣାପଡ଼େ, ଅତୀତରେ ସିନ୍ଧୁ ସଭ୍ୟତାରୁ କେତେକ ପୋଡ଼ାମାଟିର ଉପକରଣ ଓ ମାଟିର କଣ୍ଢେଇ ମିଳିଥିଲା। ଏହା ପୁରାତନ ହସ୍ତଶିଳ୍ପର କଳାକୃତି । ଶିଳ୍ପୀ ସରୋଜ କୁମାର ରାଉତ କୁହନ୍ତି-ପିଲାଦିନେ ଘରେ ମାଣବସା ବେଳେ ଝୋଟି ଚିତା ଦେଖି ଝୋଟି ପକାଇ ଶିଖିଥିଲି। ଗାଁରେ ଖୁଦୁରୁକୁଣୀ ଓଷା ପାଇଁ ଯେଉଁ ମୂର୍ତ୍ତି ଦରକାର ପଡ଼ୁଥିଲା ତାହାକୁ ତିଆରି କରିଥାଏ। ଏଥିଯୋଗୁ ଏହି କଳା ପ୍ରତି ଅଧିକ ଆଗ୍ରହ ବଢ଼ିଥିଲା। ପରେ ମାଟିରେ ବିଭିନ୍ନ ପଶୁପକ୍ଷୀ, ଫୁଲଫଳର ଆକୃତି ଓ ଦେବଦେବୀଙ୍କ ମୂର୍ତ୍ତି ଗଢିଥିଲି ଓ ଡ୍ରଇଁ କାଗଜରେ ଅଠା ଲଗାଇ ସବୁଜପତ୍ର ଓ ରଙ୍ଗଣି ଫୁଲକୁ ନେଇ ବିଭିନ୍ନ କଳାକୃତି ତିଆରି କରିଥିଲି। ସେଗୁଡ଼ିକୁ ନେଇ ଘର କାନ୍ଥରେ ଲଗାଉଥିଲି। ମୋର ଚିତ୍ରାଙ୍କନ ଭଲ ହେଉଥିବାରୁ ଶିକ୍ଷକମାନେ ପ୍ରଶଂସା କରି କହୁଥିଲେ, ପାଠରେ ନ ହେଲେ ନାହିଁ ଚିତ୍ରରେ ତୁ ଦିନେ ନାଁ କରିବୁ ! ଏହି କଥାପଦଟି ମୋ ମନକୁ ସବୁବେଳେ ଜାଗ୍ରତ କରୁଥିଲା ଦଶମ ପଢ଼ା ପରେ ହସ୍ତଶିଳ୍ପ କଳାରେ ତାଲିମ ନେବା ପାଇଁ ଭୁବନେଶ୍ୱର ଆସିଥିଲି। ପୋଡ଼ାମାଟିର କିଛି କଳାକୃତିକୁ ଅନୁଧ୍ୟାନ କଲି। ଗୁରୁ ସ୍ବର୍ଗତ ଦେବରାଜ ସାହୁ ମୋତେ ପୋଡ଼ାମାଟିର କଳାକୃତି ଶିକ୍ଷା ଦେଇଥିଲେ। ହସ୍ତଶିଳ୍ପ କଳାରେ ୨ ବର୍ଷ ତାଲିମ ପାଇଁ ଟେରାକୋଟା ବିଭାଗରେ ନାମ ଲେଖିଲି। ବିଧିବଦ୍ଧ ଭାବେ ଶିଳ୍ପୀ ଜୀବନ ଆରମ୍ଭ ହୋଇଥିଲା। ବହୁ ଅଭାବ ମଧ୍ୟରେ ପଢା ସାରିଲି। ଭୁବନେଶ୍ୱରରେ ରହି ଆର୍ଟ ଟ୍ୟୁଶନ କରି ରୋଜଗାର କରିଲି କିନ୍ତୁ ଏହି କଳା ପ୍ରତି ମୋର ଅଧିକ ଆଗ୍ରହ ବଢ଼ିଲା। ସେଥିପାଇଁ ଧଉଳି ଚାରୁକଳା ମହାବିଦ୍ୟାଳୟରେ ୫ବର୍ଷ ସ୍ଥାପତ୍ୟ କଳାରେ ଅଧ୍ୟୟନ କଲି। ସେତେବେଳେ ଲଳିତକଳା ଆଞ୍ଚଳିକ କେନ୍ଦ୍ରରେ ସେରାମିକ୍‌ କଳାକାରିଗରି ଶିଖିଲି ଏବଂ ହସ୍ତକଳା କେନ୍ଦ୍ରରେ ଟେରାକୋଟା ସମ୍ପର୍କରେ ତାଲିମ ପାଇଲି। ଏଯାଏ ୭ଶହରୁ ଊର୍ଦ୍ଧ୍ୱ ବିଭିନ୍ନ କଳାକୃତି ତିଆରି କରିସାରିଲାଣି । ତିଆରି କରିଥିବା ପ୍ରାୟ ୭ଫୁଟର ଏକ ଟେରାକୋଟାର ରଥଚକ କଳାକୃତି ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି। ସେହିପରି ମୃତ୍ତିକା ପ୍ରଦର୍ଶନ ମେଳାରେ ତିଆରି କରିଥିବା ଟେରାକୋଟାର ଏକ ରଥକୁ ଦେଖି ଜଣେ ଅତିଥି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଭୁବନେଶ୍ୱର, ଦିଲ୍ଲୀ, ନାଗପୁର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଭୋପାଳ, ମୁମ୍ବାଇ, ପୁରୀ ଆଦି ସ୍ଥାନରେ ସେରାମିକ୍‌ ଓ୍ବାର୍କଶପ ଶିବିରରେ ଯୋଗଦେଇଛି। ରାଜ୍ୟସ୍ତରୀୟ ହସ୍ତକଳା ପୁରସ୍କାର ଏବଂ ରାଜ୍ୟ ଲଳିତକଳା ଏକାଡେମୀ-୨୦୧୭, ଜୁନିୟର ଫେଲୋଶିପ ଓ୍ବାର୍କ ସାର୍ଟିଫିକେଟ ମିଳିଛି। ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରରେ ଏବେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଛି। ସବୁ ମାଟିରେ ଟେରାକୋଟା କାମ ହୁଏ ନାହିଁ । ଏଥିପାଇଁ କେବଳ ଚିକିଟା ମାଟିର ଆବଶ୍ୟକତା ରହିଥାଏ। ନିର୍ଦ୍ଦିଷ୍ଟ ଅନୁପାତରେ ଏଥିରେ କିଛି ପଟୁମାଟି ଆଉ କିଛି ବାଲିମାଟି ମିଶାଇବାକୁ ପଡ଼ିଥାଏ। ତା’ପରେ ଏହା ଟେରାକୋଟା ସାମଗ୍ରୀ ବା କଣ୍ଡେଇ ତିଆରି ପାଇଁ ପ୍ରସ୍ତୁତ ହୋଇଥାଏ। ପ୍ରଥମେ ଚିକିଟା ମାଟିରୁ ଗୋଡ଼ି ବାହାରକରି ଭଲରେ ଚକଟା ଯାଇଥାଏ। ବିଭିନ୍ନ କଳାକୃତିର ଛାଞ୍ଚରେ ସେହି ମାଟିକୁ ପୂରାଯାଏ। ଛାଞ୍ଚରୁ କଳାକୃତିକୁ ବାହାର କରାଯାଇ ପ୍ରଥମେ ଛାଇରେ ଶୁଖାଯାଇଥାଏ। ତା’ପରେ କାଠଭାଟିରେ ସେହି କଣ୍ଢେଇ କିମ୍ବା ଟେରାକୋଟାର ମାଟିର ଉପକରଣକୁ ପୋଡ଼ାଯାଇଥାଏ। ଟେରାକୋଟର ସାମଗ୍ରୀ ପ୍ରସ୍ତୁତି ପାଇଁ ତାପମାତ୍ରା ପ୍ରାୟ ୭୫୦ରୁ ୮୫୦ଡିଗ୍ରୀ ସେଲସିୟସି ମଧ୍ୟରେ ରହିବା ଦରକାର। କଳାକୃତିଗୁଡ଼ିକ ପୋଡ଼ିବାକୁ ପ୍ରାୟ ୧୨ଘଣ୍ଟା ସମୟ ଲାଗେ। ତା’ପରେ ଟେରାକୋଟା ସାମଗ୍ରୀ ଲାଲ୍‌ରଙ୍ଗର ହୋଇଯାଇଥାଏ। ଟେରାକୋଟା କଳାକୃତି ତିଆରି ବେଳେ ହାତକରଣ ଭାବେ ପିଟଣା, ପିଣ୍ଡ, ଛୁରି, ବାଉଁଶ ପାତିଆ, ତୂଳୀର ଦରକାର ପଡ଼ିଥାଏ। ଟେରାକୋଟା ହସ୍ତଶିଳ୍ପର କଳାକୃତି ପାଇଁ କେନ୍ଦୁଝର ଜିଲା ଘଟଗାଁ ବ୍ଲକର ବାଟହରିଚନ୍ଦନପୁର କୁମ୍ଭାରସାହିର ଏବଂ ହଳଧରପୁର ପରିଚୟ ରହିଛି।
-ବନବିହାରୀ ବେହେରା

Share