ଏକ ସୁସ୍ଥ ପରିସଂସ୍ଥା ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ସୁପରିଚାଳନା ଏକାନ୍ତ ଜରୁରୀ। ବିଗତ କିଛିଦିନ ହେଲା ‘ଈଷା’ ଯୋଗସଂସ୍ଥାର ପ୍ରତିଷ୍ଠାତା ସଦ୍ଗୁରୁଙ୍କର ଆହା୍ବନ ଓ ସୂଚନା ବାରମ୍ବାର ଦେଶର ବିଭିନ୍ନ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆରେ ପ୍ରସାରିତ ହେଉଛି ‘ମାଟିକୁ ପ୍ରଦୂଷଣଜନିତ କ୍ଷୟ କ୍ଷତିରୁ ରକ୍ଷା କରିବା ପାଇଁ ଓ ମାଟିର ସ୍ବାସ୍ଥ୍ୟ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ। ସଦ୍ଗୁରୁଙ୍କର ଆହ୍ବାନ ହେଲା, ଆସନ୍ତା ୧୦୦ଦିନ ପର୍ଯ୍ୟନ୍ତ ଆମେ ପରସ୍ପରକୁ ସୁପ୍ରଭାତ ଓ ସୁସନ୍ଧ୍ୟା କହି ସଙ୍ଖୋଳିବା ପରିବର୍ତ୍ତେ, ସମ୍ବୋଧନ କରିବା ‘ମାଟି ବଞ୍ଚାଅ’।
ମୃତ୍ତିକା ଅବକ୍ଷୟ ଓ ମାଟିର ସ୍ବାସ୍ଥ୍ୟରେ ଅବନତି କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବ୍ୟାପୀ ଜନସଂଖ୍ୟା ବୃଦ୍ଧି ଏହା ପଛର ମୂଳକାରଣ। ୧୯୫୦ରେ ବିଶ୍ୱର ଜନସଂଖ୍ୟା ୨୫୦କୋଟି ଥିଲା ବେଳେ, ଗତ ୭୦ ବର୍ଷରେ ପ୍ରାୟ ତିନିଗୁଣାରୁ ଅଧିକ ବୃଦ୍ଧିପାଇ ୨୦୨୨ରେ ପାଖାପାଖି ୮୦୦ କୋଟିରେ ପହଞ୍ଚତ୍ଛି। ଭାରତର ଜନସଂଖ୍ୟା ୧୯୫୦ରେ ୩୬କୋଟି ଥିଲାବେଳେ ୨୦୨୨ ବେଳକୁ ଏହା ୧୪୦ କୋଟିରେ ପହଞ୍ଚତ୍ଛି। ଅନ୍ୟ ଦିଗରୁ ବିଚାର କଲେ ଆମ ଦେଶରେ ଥିବା ଜମିର ଆୟତନ ପୃଥିବୀର ମୋଟ ଭୂଭାଗର ମାତ୍ର ୨.୪ ପ୍ରତିଶତ। ଏତିକି ଜମିରେ ଆମେ ପୃଥିବୀର ଲୋକସଂଖ୍ୟାର ୧୭.୫ ପ୍ରତିଶତ ଏବଂ ୧୫ ପ୍ରତିଶତରୁ ଅଧିକ ଗାଈ, ଛେଳି, ମଇଁଷି ଆଦି ଗୃହପାଳିତ ପଶୁକୁ ପାଳନ କରୁଛେ। ୧୯୫୧ରେ ଦେଶରେ ମୁଣ୍ଡପିଛା ଚାଷଜମିର ପରିମାଣ ୦.୪୮ ହେକ୍ଟର ଥିଲାବେଳେ ୨୦୧୯ ବେଳକୁ ଏହି ପରିମାଣ କମି ଆସି ୦.୧୨ ହେକ୍ଟରରେ ପହଞ୍ଚତ୍ଛି ଏବଂ ୨୦୩୫ ବେଳକୁ ମୁଣ୍ଡପିଛା ଚାଷଜମିର ଆୟତନ ୦.୦୮ ହେକ୍ଟରକୁ କମିଯିବ ବୋଲି ପ୍ରକ୍ଷେପଣ କରାଯାଉଛି। ବିଶ୍ୱର ମୁଣ୍ଡପିଛା ଚାଷଜମି ପରିମାଣର ଏହା ୪୦ ଶତାଂଶ ମାତ୍ର। ସ୍ବାଭାବିକ ଭାବେ ଏହି ପ୍ରଶ୍ନ ଉଠିବ, ଆମେ ଦେଶବାସୀଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା କିପରି? ଗାଈ, ଗୋରୁଙ୍କ ପାଇଁ ଚାରଣ ଜମି ଆସିବ କେଉଁଠୁ?
ବର୍ଦ୍ଧିତ ଜନସଂଖ୍ୟାକୁ ଅତିରିକ୍ତ ଖାଦ୍ୟ ଯୋଗାଣ ନିମନ୍ତେ ଆମେ ଅଧିକ ଜଙ୍ଗଲ କାଟି ଚାଷଜମିରେ ପରିଣତ କରୁଛେ। ଅନ୍ୟ ପକ୍ଷରେ ଚାଷଜମିକୁ ମଧ୍ୟ ଆମେ ଗୃହନିର୍ମାଣ, ସହର ବଜାର, ରାସ୍ତାଘାଟ ନିର୍ମାଣ ପାଇଁ ବ୍ୟବହାର କରୁଛେ। ଚାଷଜମିରେ ଲଗାଏତ ଚାଷ, ଅର୍ଥାତ୍ ମାଟିକୁ ବିରାମ ନ ଦେଇ ଦୋ ଫସଲି, ତିନି ଫସଲି କୃଷି କରୁଛେ। ସେହି ଅନୁସାରେ ଅଧିକ ଜଳସେଚନ କରୁଛେ। ଅଧିକ ଅମଳ ଆଶାରେ ରାସାୟନିକ ସାର ପ୍ରୟୋଗ କରୁଛେ। ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ ବିଷାକ୍ତ କୀଟନାଶକ ବିନିଯୋଗ କରୁଛେ। ରାସାୟନିକ ସାର ପ୍ରୟୋଗ କଲେ, ପ୍ରଥମ ପର୍ଯ୍ୟାୟରେ ମାଟିର ଉତ୍ପାଦିକା ଶକ୍ତି ଯଥେଷ୍ଟ ବଢ଼ିଯାଏ। କିନ୍ତୁ କ୍ରମାଗତ ଭାବେ ତିନିବର୍ଷରୁ ଅଧିକ ବ୍ୟବହାର କଲେ ମାଟିର ବନ୍ଧ୍ୟାତ୍ୱ ବୃଦ୍ଧିପାଏ ଏବଂ ଉର୍ବରତା ହ୍ରାସ ପାଏ। ଗଭୀର ‘ବୋରଓ୍ବେଲ’ ଜମିରେ ବସାଇ ଭୂତଳ ଜଳକୁ ଉତ୍ତୋଳନ କରି ଅତ୍ୟଧିକ ଜଳସେଚନ କରିବା ଦ୍ୱାରା ମାଟିର ଉପର ଅଂଶ କ୍ରମଶଃ ଶୁଷ୍କ ହୋଇଯାଏ। ହାଇବ୍ରଡ୍ ବିହନ ଓ ଅଧିକ ଅମଳକ୍ଷମ ବିହନର ବହୁଳ ବ୍ୟବହାର ପ୍ରାକୃତିକ ଜୈବ ବିବିଧତାକୁ ନଷ୍ଟ କରିବା ସହ, ଏଥିରୁ ଉତ୍ପନ୍ନ ହେଉଥିବା ଉଦ୍ଭିଦ କୀଟପତଙ୍ଗ ଓ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଅଧିକ। କୀଟନାଶକ ମଧ୍ୟରେ କ୍ଲୋରିନଯୁକ୍ତ ହାଇଡ୍ରୋକାର୍ବନ ମୁଖ୍ୟ। ବିଶେଷଭାବେ ଡିଡିଟି, ବିଏସ୍ସି, ଏଣ୍ଡ୍ରିନ୍, ଆଲଡ୍ରିନ୍ ଓ ମାଲାଥିଆନ ଆଦିି କୀଟନାଶକର କିଛିଅଂଶ ମୃତ୍ତିକାରେ ଥିବା କ୍ଷୁଦ୍ର କଣିକା ଦ୍ୱାରା ଗୃହୀତ ହୋଇଥାଏ। ମାଟି ଭିତରେ କୀଟନାଶକର ଛିଟା ଖୁବ୍ ମନ୍ଥର ଗତିରେ କ୍ଷୟପ୍ରାପ୍ତ ହୁଏ। କିନ୍ତୁ ଖାଦ୍ୟ ଶୃଙ୍ଖଳର ବିଭିନ୍ନ ସ୍ତରରେ ଏହାର ଜୈବିକ ବିଶାଳନ ଘଟିଥାଏ। ଉପରୋକ୍ତ କାରଣରୁ ଧୀରେ ଧୀରେ ମାଟିର ଉପରି ଭାଗ ଢିଲା, ହାଲୁକା ଓ ବାଲିଆ ହୋଇଯାଏ। ଶୁଷ୍କ ଓ ପତିତ ଜମିରେ କ୍ରମଶଃ ମରୁଭୂମୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଲାଗେ। ମାଟି କ୍ରମଶଃ ବନ୍ଧ୍ୟା ହୋଇଯାଏ। ଅନୁର୍ବର ହୋଇଯାଏ।
କୃଷିର ବିସ୍ତାର ପାଇଁ ଅବକ୍ଷୟିତ ଜଙ୍ଗଲ ଜମି ଓ ଚାରଣଭୂମିକୁ ଆବାଦ କରା ଯାଉଥିବାରୁ ମାଟିର ଉପରିଭାଗ ଅନାବୃତ ହୋଇପଡ଼େ। ଫଳରେ ଖରା, ବର୍ଷା ଆଦି ବହୁବିଧ ପ୍ରାକୃତିକ ପ୍ରକ୍ରିୟା ମାଟିର ଆଣ୍ଟ ନଷ୍ଟ କରି ତାକୁ ହୁଗୁଳା କରିଦିଏ। ବର୍ଷାଦିନେ ବୃଷ୍ଟି ଜଳ ସହିତ ଏହି ଶିଥିଳ ମାଟି ଧୋଇ ହୋଇଯାଏ। ନଦୀନାଳରେ ମିଶି ତାକୁ ପୋତି ପକାଏ। ଜୋରରେ ପବନ ବହିଲେ ମାଟିର ଉପର ହାଲୁକା ଅଂଶ ସ୍ଥାନାନ୍ତରିତ ହୋଇଯାଏ। ଏହି ପ୍ରକ୍ରୟା ମୃତ୍ତିକା କ୍ଷୟକୁ ତ୍ୱରାନ୍ବିତ କରେ ଏବଂ ମାଟିର ଅନୁର୍ବରତା ବୃଦ୍ଧି ପାଏ। ଭାରତରେ ପ୍ରତିବର୍ଷ ପ୍ରାୟ ୫୩୦୦ ନିୟୁତ ଟନ୍ ଉପର ଉର୍ବରମାଟି ମୃତ୍ତିକା କ୍ଷୟ କାରଣରୁ ନଷ୍ଟ ହୋଇଯାଏ।
ଅହମଦାବାଦସ୍ଥିତ ‘ମହାକାଶ ପ୍ରୟୋଗ କେନ୍ଦ୍ର’ ତରଫରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଆମ ଦେଶର ମୋଟ ୩୨୮ ମିଲିୟନ ହେକ୍ଟର ଭୌଗୋଳିକ ଆୟତନ ମଧ୍ୟରୁ ପ୍ରାୟ ୩୨ ଶତାଂଶ ଅର୍ଥାତ୍ ୧୦୫ ମିଲିୟନ ହେକ୍ଟର ଜମିରେ ଅବକ୍ଷୟମୁଖୀ ପ୍ରକ୍ରିୟା ତ୍ୱରାନ୍ବିତ ହେବାରେ ଲାଗିଛି। ତନ୍ମଧ୍ୟରୁ ୮୧.୪ ମିଲିୟନ ବା ୮୧୪ ଲକ୍ଷ ହେକ୍ଟର ଜମି ମରୁଭୂମିରେ ପରିଣତ ହୋଇସାରିଲାଣି। ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି, ଦେଶର ଯେଉଁ ପାଞ୍ଚଗୋଟି ରାଜ୍ୟ ମୃତ୍ତିକା ଅବକ୍ଷୟ ହେତୁ ମରୁଡ଼ି ପ୍ରବଣତା ଆଡ଼କୁ ଗତି କରୁଛି, ତନ୍ମଧ୍ୟରେ ରାଜସ୍ଥାନ ପ୍ରଥମ। ଏହା ପଛକୁ କ୍ରମାନ୍ବୟରେ ଗୁଜରାଟ, ମହାରାଷ୍ଟ୍ର ଓ ଜମ୍ମୁ କଶ୍ମୀରରେ ସର୍ବାଧିକ ଜମି ଶୁଷ୍କ ହୋଇ ସାରିଲାଣି। ଓଡ଼ିଶାର ସ୍ଥାନ ପଞ୍ଚମ। ଆମ ରାଜ୍ୟରେ ରହିଥିବା ଶୁଷ୍କ, ଅର୍ଦ୍ଧଶୁଷ୍କ ଓ ପତିତ ଜମିର ଆୟତନ ୫୪,୬୯୩ ବର୍ଗ କିଲୋମିଟର। ଯାହା ରାଜ୍ୟର ଭୌଗୋଳିକ ଆୟତନର ଏକ ତୃତୀୟାଂଶରୁ ସାମାନ୍ୟ ଅଧିକ। ଓଡ଼ିଶାରେ ମଧ୍ୟ ବର୍ଷକୁ ୩୫୦ ନିୟୁତ ଟନ୍ ଉପର ମାଟି ଧୋଇ ହୋଇଯାଏ ବା ମୃତ୍ତିକା କ୍ଷୟ ଘଟି ନଷ୍ଟ ହୋଇଯାଏ। ଭୂପୃଷ୍ଠର ବହିରାବରଣରେ ମାତ୍ର ୧୩ରୁ ୨୫ ସେଣ୍ଟିମିଟର ଜୈବିକ ଅଣୁସାରଯୁକ୍ତ ମାଟି ରହିଛି। ଅଥଚ ଗୋଟିଏ ସେଣ୍ଟିମିଟର ଉପରମାଟି ତିଆରି ହେବା ପାଇଁ ଅନୂ୍ୟନ ୨୦୦ବର୍ଷ ଏବଂ ସ୍ଥଳ ବିଶେଷରେ ୩୦୦ ବର୍ଷ ମଧ୍ୟ ଲାଗିଯାଇପାରେ।
ଭୂପୃଷ୍ଠରେ ଜୀବନର ଅଭ୍ୟୁଦୟ ଓ ପରିପୋଷଣ ନିମନ୍ତେ ମାଟି ହିଁ ଭିତ୍ତିଭୂମି ଯୋଗାଇଥାଏ। ମାଟିରୁ ଶସ୍ୟ, ଶସ୍ୟରୁ ଆହାର, ଆହାରରୁ ଜୀବନ ରକ୍ଷା। ଦେଶର ଅଗଣିତ ଜନତାଙ୍କୁ ପୁଷ୍ଟିକର ଆହାର ଯୋଗାଇ ଖାଦ୍ୟ ସୁରକ୍ଷା ହାସଲ କରିବାକୁ ହେଲେ ମାଟିର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ପ୍ରାଥମିକ ଆବଶ୍ୟକତା। ମାଟିର ସୁରକ୍ଷା ହିଁ ଖାଦ୍ୟ ସୁରକ୍ଷା ଓ ଜୀବନ ଜୀବିକାର ସୁରକ୍ଷା କବଚ।