ସହର ଉପକଣ୍ଠରେ ମାଟି ମାଫିଆ ସକ୍ରିୟ

ସମ୍ବଲପୁର,୭ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର, ସଦର, ରେଙ୍ଗାଲି ଓ ଯୁଯୁମୁରା ତହସିଲ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସରକାରୀ, ଜଙ୍ଗଲ କିସମ ଓ ଘରୋଇ ଜମି ମାଲିକଙ୍କୁ ହାତ କରି ସେମାନେ ବିନା ଅନୁମତିରେ ମାଟି ଚୋରା ଚାଲାଣ କରୁଛନ୍ତି। ଅଳ୍ପ କିଛି ଟଙ୍କା ଜରିମାନା ଆଦାୟ କରି ରାଜସ୍ବ ବିଭାଗ ଚୁପ ରହୁଛି। କେବଳ ଜମି ପ୍ଲଟିଂ ନୁହେଁ, ରାସ୍ତାକାମରେ ମଧ୍ୟ ଏହି ମାଟି ବ୍ୟବହାର ହେଉଛି। ସରକାରଙ୍କ ବିକାଶମୂଳକ କାମ ହେଉଥିବା କହି ଛାଡ଼ି ଦିଆଯାଉଛି। ରେଳ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକରେ ଏଭଳି ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ରାଜସ୍ବ ଅଧିକାରୀ କିମ୍ବା କର୍ମଚାରୀ ଚଢ଼ାଉ କଲେ ରାଜନେତା ଓ ପ୍ରତିଷ୍ଠିତ ବ୍ୟବସାୟୀ ସେମାନଙ୍କୁ ଧମକଚମକ ଦେଉଛନ୍ତି। ନିୟମ ଅନୁସାରେ ମାଟିର ମୂଲ୍ୟ ଅନୁପାତରେ ଜରିମାନା ନିଆଯାଉନାହିଁ। ଫଳରେ ସରକାରଙ୍କ ରାଜସ୍ବ ହାନି ହେଉଛି। ବିକାଶ କାମକୁ ନେଇ ଠିକା ସଂସ୍ଥାକୁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏହାର ଫାଇଦା ନେଇ ମାଟି, ପଥର, ବାଲି ଭଳି ପ୍ରାକୃତିକ ସମ୍ପଦ ଲୁଟ କରାଯାଉଛି। କିଛିଦିନ ପୂର୍ବରୁ ମାନେଶ୍ୱର ତହସିଲ ଅନ୍ତର୍ଗତ ପରମାଣପୁର ନିକଟରେ ମାଟି ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଏକ ଆଜବେଷ୍ଟସ୍‌ କମ୍ପାନୀରେ ଏହି ମାଟି ପଡ଼ୁଥିବା ସମୟରେ ମାନେଶ୍ୱର ତହସିଲର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ି ଜବତ କରିଥିଲେ। ସେହିପରି ଯୁଯୁମୁରା ତହସିଲ କବରାପାଲି ଅଞ୍ଚଳରେ ବେଆଇନ ମାଟି ଖନନକୁ ବିରୋଧ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀ ଏଭଳି ବେଆଇନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ। ମାଟି ଖନନ ହେଉଥିବା ସ୍ଥାନକୁ ଯାଇ ଗାଡ଼ି ଓ ଜେସିବି ଜବତ କରି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଥିଲେ। ଘରୋଇ ଜମିରୁ ମାଟି ଖନନ କରାଗଲେ ମଧ୍ୟ ପୂର୍ବରୁ ସରକାରଙ୍କ ଅନୁମତି ନେବାର ନିୟମ ରହିଛି। ଜମି ମାଲିକ ଆବେଦନ କରିବା ପରେ ରାଜସ୍ବ ବିଭାଗ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ନିକଟସ୍ଥ ଅନ୍ୟ ଜମି ମାଲିକଙ୍କଠାରୁ ମଧ୍ୟ ସ୍ବୀକୃତି ନିଆଯିବାର ବ୍ୟବସ୍ଥା ରହିଛି। ହେଲେ ମାଟି ମାଫିଆମାନେ କେବଳ ଜମି ମାଲିକଙ୍କୁ ହାତ କରି ମାଟି ଖନନ କରୁଛନ୍ତି। ସମତଳ ଜମି ପୋଖରୀ ସଦୃଶ ହୋଇଜମି ମାଲିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ମାନେଶ୍ୱର ତହସିଲଦାର ଅଜୟ କୁମାର ତିୱାରୀ କହିଛନ୍ତି, ଅଭିଯୋଗ ପାଇବା ପରେ ଅତିରିକ୍ତ ତହସିଲଦାର ଏକ ଟିମ୍‌ ସହ ଚଢ଼ାଉ କରିଥିଲେ। ଜରିମାନା ଆଦାୟ କରାଯାଇଛି। ଚୋରା ଚାଲାଣ ରୋକିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି କହିଥିଲେ। ସେହିପରି ଯୁଯୁମୁରା ତହସିଲଦାର ଅଭିଷେକ ସାହୁ କହିଛନ୍ତି, ପୂର୍ବରୁ ଯେଉଁ ସ୍ଥାନରେ ମାଟି ଖୋଳାଯାଉଥିଲା ତାକୁ ବନ୍ଦ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କରାଯାଇଥିଲା। ମାଟି ଚୋରା ଚାଲାଣ ରୋକିବାକୁ ସ୍ଥାନୀୟ ଆର୍‌ଆଇଙ୍କୁ କୁହାଯାଇଛି ବୋଲି କହିଥିଲେ।