ବୁଗୁଡ଼ା,୪ା୭(ଡି.ଏନ.ଏ.): ଧରିତ୍ରୀରେ ଖବର ପ୍ରକାଶନ ପରେ ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଫଳରେ ଗ୍ରାମବାସୀଙ୍କ ମନରେ ଖୁସି ଦେଖାଦେଇଛି। ଲକ୍ଷ୍ମୀପୁର ଗ୍ରାମରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ସୋଲାର ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନଥିଲା। ଫଳରେ ଉକ୍ତ ଗ୍ରାମର ୫୦ ପରିବାରର ପ୍ରାୟ ୩୦୦ ଗ୍ରାମବାସୀ ଜଳ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ସେଠାକାର ଜନ ପ୍ରତିନିଧି ଏବଂ ବିଭାଗୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନ ଥିଲା। ଶେଷରେ ଏନେଇ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଜୁନ ୯ରେ ‘କାମରେ ଆସୁନି ସୋଲାର ପ୍ରକଳ୍ପ, ପାଣି ପାଇଁ ଲୋକେ ହଟହଟା’ ଶୀର୍ଷକ ଏକ ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ବିଭାଗୀୟ ପ୍ରଶାସନ ତପତ୍ରତା ଦେଖାଇ ଏହାକୁ କାର୍ଯ୍ୟକ୍ଷମ କରାଇଥିଲେ। ଫଳରେ ଏହି ପ୍ରକଳ୍ପରୁ ଜଳ ଯୋଗାଣ ସ୍ବାଭାବିକ ହୋଇଛି।