ସମାଧାନର ବାଟ ଫିଟିଲା: ସୋମବାରଠାରୁ ସ୍କୁଲ ଯିବେ ପିଲା

କର୍ଲାମୁଣ୍ଡା,୨୭ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ପିଲା ନ ଛାଡ଼ିବା ଘଟଣାର ୨୭ ଦିନ ପରେ ଶନିବାର ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସୋମବାରଠାରୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକମାନେ ରାଜି ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମୋଟ୍‌ ୨୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ତେବେ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ସ୍କୁଲ ଅନୁଦାନ ଟଙ୍କା, ଏମ୍‌ଡିଏମ୍‌ ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସହାୟତା ରାଶିର,ହେର୍‌ଫେର୍‌ କରିଥିବା ଅଭିଯୋଗ କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ ଓ ଅର୍ଥ ରିକୋଭରି ନ କରିବା ଯାଏ ସ୍କୁଲକୁ ପିଲାଙ୍କୁ ନ ଛାଡ଼ିବାକୁ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗ ପାଇବା ପରେ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୋଗର ତଦନ୍ତ ସହ ପ୍ରଧାନଶିକ୍ଷକଙ୍କୁ ବଦଳି ଓ ନିଲମ୍ବିତ କରିଥିଲେ। ତେବେ ସୁଦ୍ଧା ଅଭିଭାବକମାନେ ସ୍କୁଲ କୁ ପିଲା ନ ଛାଡ଼ିବାର ୨୭ ଦିନ ପରେ ଶନିବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ନେତୃତ୍ୱରେ ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ,ରେଗଡ଼ା ସରପଞ୍ଚ ଦୀପ୍ତିରାଣୀ ସାହୁ, ଜିଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ,ଏବିଇଓ ସହଦେବ ସୁନା,ସିଆରସିସି ସଞ୍ଜୟ ଦାଶ ପ୍ରମୁଖ ଦାଣ୍ଡିଭଜା ସ୍କୁଲକୁ ଯାଇ ଗ୍ରାମବାସୀ ତଥା ଅଭିଭାବିକା /ଅଭିଭାବକ,ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ବୁଝେଇବା ପରେ ସୋମବାରଠାରୁ ସ୍କୁଲକୁ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବାକୁ ଅଭିଭାବକମାନେ ରାଜି ହୋଇଥିବା ଏବିଇଓ ସହଦେବ ସୁନା ସୂଚନା ଦେଇଛନ୍ତି।

Share