ମାନେକା ଗାନ୍ଧୀ
ଗତ ସପ୍ତାହରେ ଗୋଟିଏ ମାଈ ବାରାଶିଙ୍ଗା (ଏକ ଜାତୀୟ ବଡ଼ ହରିଣ, ଯାହାର ଶିଙ୍ଗରେ ଶାଖା ଥାଏ) ପଞ୍ଚକୁଲାର ଏକ କ୍ଷେତ ଭିତରକୁ ପଶିଯାଇଥିଲା। ସେଠାରେ ସେ ଏକ ଅଟାଗୁଳା ଖାଇଦେଇଥିଲା। ଏହା ଅଟାଗୁଳା ନ ଥିଲା, ବରଂ ଥିଲା ଗୋଟିଏ ହାତ ତିଆରି ବୋମା। ଏହାକୁ ଖାଇବା ପରେ ବିସ୍ଫୋରଣରେ ହରିଣର ଥୋଡି ଓ ଗଳା ଫାଟି ଯାଇଥିଲା। ତା’ପାଟିରୁ ରକ୍ତ ବାହାରୁଥିଲା ଓ ଚୁପ୍ଚାପ୍ ରାସ୍ତାକଡ଼ରେ ବସିଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାକୁ ଦେଖି ବନ ବିଭାଗକୁ ଖବର ଦେଲେ । କିନ୍ତୁ ୪ ଘଣ୍ଟା ବିଳମ୍ବରେ ବିଭାଗୀୟ ଅଧିକାରୀମାନେ ସେଠାରେ ପହଞ୍ଚତ୍ଥିଲେ। ପରେ ଆହତ ହରିଣଟିକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ସେଠାରେ ତାକୁ ପାରାସିଟାମଲ ଇଞ୍ଜେକ୍ଶନ ଦେବାପରେ ମୋର୍ନି ଓ୍ବାଇଲ୍ଡ ଲାଇଫ୍ ସେଣ୍ଟରକୁ ପଠାଇଦେଲେ। ଏହି ସେଣ୍ଟରରେ ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ଘଟିଥିଲା। ଏଭଳି ଘଟଣାରେ ମୁଁ ଖୁବ୍ ଦୁଃଖିତ ଓ ଏଥିପାଇଁ ଭାରି କ୍ଷୁବ୍ଧ ମଧ୍ୟ।
ନିକମା ବନ ବିଭାଗରେ ତ୍ୱରିତ ପଦକ୍ଷେପ ନେବାରେ ଅସମର୍ଥ ତଥା ଅପ୍ରଶିକ୍ଷିତ ପୋଲିସ ଅଧିତ୍କାରୀମାନେ ରହିଛନ୍ତି ଓ ନିକମା ପ୍ରାଣୀ ଚିକିତ୍ସା ବିଭାଗର କୌଣସି ପ୍ରଶିକ୍ଷିତ ତଥା ଦୟାଳୁ ଡାକ୍ତର ବି ନାହାନ୍ତି। ବିଲୁପ୍ତ ପଥରେ ଥିବା ଏହି ନିରୀହ ଓ ସୁନ୍ଦର ହରିଣକୁ ଯେଉଁ ହିଂସ୍ର କୃଷକ ମାରିଲା, ତାକୁ ଏଯାବତ୍ ଗିରଫ କରାଯାଇନାହିଁ। ପୀଡା ନିବାରକ ଓ୍ୟଷଧ ଦେଇଥିତ୍ବା ଡାକ୍ତର ଓ ତାଙ୍କ ସହଯୋଗୀ ଏବଂ ଘଟଣା ସ୍ଥଳରୁ ବନ୍ୟଜନ୍ତୁ ଅଫିସ ୧ ମାଇଲ ଦୂର ହୋଇଥିଲେ ବି ହରିଣ ପାଖରେ ପହଞ୍ଚିବାକୁ ୪ ଘଣ୍ଟା ସମୟ ନେଇଥିବା ବିଭାଗୀୟ ନିରୀକ୍ଷକଙ୍କୁ ଏଯାବତ୍ ନିଲମ୍ବନ କରାଯାଇନାହିଁ।
କୃଷକମାନେ ସମାନ ଉପାୟରେ ପ୍ରତିବର୍ଷ ବହୁ ହାତୀଙ୍କୁ ମାରି ଦେଉଛନ୍ତି। ନିକଟରେ କେରଳରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଜଣା। ପ୍ରଥମ ହାତୀର ମୃତ୍ୟୁ ପରଠାରୁ ଏବେସୁଦ୍ଧା ଆଉ ୪ଟି ହାତୀଙ୍କୁ ମାରି ଦିଆଗଲାଣି। ଛତିଶଗଡ଼ରେ ୫ଟି ହାତୀକୁ ବିଷ ଦେଇ ମାରିଦିଆଯାଇଛି । ଓଡ଼ିଶାରେ କୃଷକମାନେ କେବଳ ହାତୀକୁ ବାଡାଇ ଘଉଡାନ୍ତି ବା ଗୁଳି କରି ମାରିଦିଅନ୍ତି କିମ୍ବା ଏହି କାର୍ଯ୍ୟ ବନ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା କରାଇଥାନ୍ତି। ପ୍ରାଣୀମାନେ ସେମାନଙ୍କ ଫସଲ ନଷ୍ଟ କରୁଛନ୍ତି ବୋଲି ସବୁବେଳେ ବାହାନା କରାଯାଉଛି। କିନ୍ତୁ କୃଷକମାନେ ଜଙ୍ଗଲ ଜମି ଓ ହାତୀ କରିଡରରେ ରହୁଥିବା ପ୍ରସଙ୍ଗକୁ ସମସ୍ତେ ଏଡ଼ାଇ ଯାଉଛନ୍ତି। ଶେଷ କଥା ହେଉଛି, ହାତୀ ସପକ୍ଷରେ କହିବାକୁ କେହି ନାହାନ୍ତି। ହାତୀଙ୍କୁ ତଡ଼ିବା ଏତେ ମୁସ୍କିଲ ନୁହେଁ। ଆଫ୍ରିକାରେ ଆପଣାଯାଉଥିବା ସମାଧାନର ସୂତ୍ର ସମ୍ପର୍କରେ ଜାଣିବା ଦରକାର। ସେଠାରେ କେବଳ ହାତୀ ନୁହନ୍ତି,ବରଂ ଜିରାଫ୍ ମଧ୍ୟ ହତ୍ୟାର ଶିକାର ହେଉଛନ୍ତି। ସେମାନେ ପାଣି ପିଇବାକୁ ଯାଉଥିବା ସମୟରେ କ୍ଷେତରେ ପ୍ରବେଶ କରିବା ଯୋଗୁ କୃଷକମାନେ ସେମାନଙ୍କୁ ମାରିଦେଉଛନ୍ତି। ଜଙ୍ଗଲ କିମ୍ବା ଜାତୀୟ ଉଦ୍ୟାନରେ ହାତୀମାନେ କମ୍ ପରିମାଣର ଖାଦ୍ୟ ପାଆନ୍ତି ଓ ସେଥିରେ ସେମାନେ ବେଶୀଦିନ ବଞ୍ଚିପାରିିବେ ନାହିଁ। ଏଣୁ ସେମାନେ ଚାଷ ଜମିରେ ପଶି ଫସଲ ଖାଇଯାଆନ୍ତି। ଏଥିପାଇଁ ଚାଷୀମାନେ ସେମାନଙ୍କୁ ମାରିଦିଅନ୍ତି।
ହାତୀ ମୃତ୍ୟୁ ରୋକିବା ପାଇଁ ରହିଥିବା ଗୋଟିଏ ବାଟ ହେଉଛି ପ୍ରସ୍ତାବିତ ବିଦ୍ୟୁତ ତାରବାଡ। କିନ୍ତୁ ତାହା ଭାରି ବ୍ୟୟବହୁଳ। ବିଦ୍ୟୁତ ଭୋଲ୍ଟରେ ପରିବର୍ତ୍ତନ ବି ହାତୀ ଓ ଅନ୍ୟ ପ୍ରାଣୀମାନଙ୍କ ଜୀବନ ନେଇପାରେ। ଏବେ ଆଫ୍ରିକୀୟ ରାଷ୍ଟ୍ରଗୁଡିକର ସରକାର ଏବଂ ଏନ୍ଜିଓଗୁଡ଼ିକ ସବୁଠୁ ଭଲ ଉପାୟ ନେଇ ଆସିଛନ୍ତି, ଯାହାକୁ ସାରା ଆଫ୍ରିକାରେ ଚାଲୁକରାଯାଇଛି। ଭାରତ ଏହାକୁ ଗ୍ରହଣ କଲେ ସୁଫଳ ମିଳିବ।
ହାତୀମାନଙ୍କ ଭୟ ମହୁମାଛିକୁ । ମହୁମାଛି ହାତୀକୁ ଆକ୍ରମଣ କଲାବେଳେ ତା’ଶୁଣ୍ଢ ଭିତରେ ପଶି ସମ୍ବେଦନଶୀଳ ଟିସ୍ୟୁରେ ବିନ୍ଧି ଦିଅନ୍ତି। ଏହା ଏତେ ଯନ୍ତ୍ରଣାଦାୟକ ଯେ ତାହାକୁ ହାତୀ କେବେ ବି ଭୁଲିପାରେନି। ଏଣୁ ମହୁମାଛି ପ୍ରତି ସେମାନେ ପୂରା ସତର୍କ ରହନ୍ତି। ଏମିତି କି ମହୁମାଛିର ଗୁଣୁଗୁଣୁ ଶବ୍ଦ ଶୁଣିବା ପରେ ସତର୍କ ରହିବାକୁ ଏକ ସ୍ବତନ୍ତ୍ର ଶବ୍ଦ ବା ଗର୍ଜନ କରନ୍ତି,ଯାହାକୁ ଶୁଣି ସବୁ ହାତୀ ପଳାଇ ଯାଆନ୍ତି। କେହି ବ୍ୟକ୍ତି ଏଭଳି ଶବ୍ଦ କରି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ହାତୀ ଏତେ ଚାଲାକ ଯେ, ଏହା ଏକ ବେକାର ଭୟ ବୋଲି ଶୀଘ୍ର ବୁଝିଯାଆନ୍ତିି। କିନ୍ତୁ ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ, ଯଦି କୃଷକମାନେ ବାସ୍ତବରେ ଏକ ଲମ୍ବା ଧାତବ ତାରରେ ମହୁବାକ୍ସକୁ ବାନ୍ଧି କାଠ ଖୁଣ୍ଟରେ ଝୁଲାର ୧୦ ମିଟର ବ୍ୟବଧାନରେ ରଖନ୍ତି ତେବେ ଏହା ସୁରକ୍ଷାର ବାଡ଼ ଭଳି କାମ କରିବ। ଏହି ଲମ୍ବା ତାର ଖୁଣ୍ଟରୁ ଖୁଣ୍ଟକୁ ଯୋଡି ହୋଇ ରହିବ। ହାତୀ ଯେତେବେଳେ ଏହି ତାରରେ ଧକ୍କା ଖାଇବ,ସେତେବେଳେ ସବୁ ବାକ୍ସ ଏକାବେଳକେ ହଲିଯିବ ଓ ମହୁମାଛି ସେମାନଙ୍କ ବସାକୁ ରକ୍ଷା କରିବା ଲାଗି ବାହାରି ଆସିବେ। ମହୁମାଛି ରହିଥିବା ଗଛଠାରୁ ହାତୀ ଦୂରେଇ ରହନ୍ତିି ବୋଲି ସେଭ୍ ଦି ଏଲିଫ୍ୟାଣ୍ଟ ଏନ୍ଜିଓର ଗବେଷକମାନେ ଜାଣିବାପରେ ମହୁବାକ୍ସର ବାଡ଼ ୨୦୦୨ରେ ଆବିଷ୍କାର କରାଯାଇଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ଲୁସି କିଙ୍ଗ୍ ଏହି ବାଡ଼ର ଡିଜାଇନ କରିଥିଲେ ଓ ଏହାକୁ ୨୦୦୮ରେ କେନିଆରେ ପରୀକ୍ଷା କରାଯାଇଥିଲା। ଏହାର ସବୁଦିଗ ଉପରେ ଲୁସି ଅନୁଧ୍ୟାନ କରିବା ପରେ ମତ ଦେଇଥିଲେ ଯେ, ହାତୀ ଫସଲ ନଷ୍ଟ କରୁଥିବା କ୍ଷେତ ଚାରିପାଖରେ ମହୁବାକ୍ସ ବାଡ଼ କଲେ ଚାଷୀମାନେ ଉପକୃତ ହେବେ। ଏହି ସିଦ୍ଧାନ୍ତକୁ ସେଭ୍ ଦି ଏଲିଫ୍ୟାଣ୍ଟସ, ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଡିସ୍ନେସ ଆନିମଲ କିଙ୍ଗଡମ୍ ସମର୍ଥନ କରିଥିଲେ। ୧୦ଟିରୁ ଅଧିତ୍କ ଆଫ୍ରିକୀୟ ଦେଶ ଏହି ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି। ତାଞ୍ଜାନିଆରେ ସାଇଲେଣ୍ଟ ହିରୋଜ୍ ଫାଉଣ୍ଡେଶନ ଏଭଳି ମହୁବାକ୍ସର ବାଡ଼ ତିଆରି କରିଛନ୍ତି। ସେମାନେ ଏହାଦ୍ୱାରା ୮୦% ସଫଳତା ପାଇଛନ୍ତି। ଏହି ବାଡ଼ ତିଆରି କରିବା ଲାଗି କମ୍ ଖର୍ଚ୍ଚ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଏଥିରୁ ମଧ୍ୟ ରୋଜଗାର ହେଉଛି। କୃଷକମାନେ ‘ଏଲିଫ୍ୟାଣ୍ଟ ଫ୍ରି ବ୍ରାଣ୍ଡ୍’ରେ ମହୁ ସାରା ବିଶ୍ୱରେ ବିକ୍ରି କରୁଛନ୍ତି। ଏହି ବାଡ଼ ହେଉଛି ପ୍ରଥମ ହାତୀ ପ୍ରତିରୋଧୀ ବାଡ଼ । ଏହାର ରକ୍ଷଣାବେକ୍ଷଣ ପାଇଁ ଯାହା ଖର୍ଚ୍ଚ ହୁଏ, ଚାଷୀ ତା’ଠାରୁ ଅଧିତ୍କ ଟଙ୍କା ମହୁରୁ ପାଇଥାନ୍ତି ବୋଲି କିଙ୍ଗ୍ ଉଲ୍ଲେଖ କରିଛନ୍ତି। ପାରିପାର୍ର୍ଶ୍ୱିିକ ଅଞ୍ଚଳରେ ପରିବେଶଗତ ତଥା ଆର୍ଥିକ ବିକାଶରେ ଏହା ସହାୟକ ହୁଏ। ଏହା ପାଇଁ ବିଦ୍ୟୁତ ଆବଶ୍ୟକ ହୁଏନାହିଁ କି ଅଧିକ ଜାଗା ଦରକାର ପଡେନି। ଏହି ବାଡ଼ ହାତୀଙ୍କୁ ତଡ଼ିବାରେ ପ୍ରାୟ ୮୦% ସଫଳ ହୋଇଥାଏ ଏବଂ ୨୦% ହାତୀଙ୍କ ଦ୍ୱାରା ଯାହା କ୍ଷତି ହୁଏ,ତାହାକୁ ଚାଷୀମାନେ ବିକଳ୍ପ ଆୟ( ମହୁରୁ)ରେ ଭରଣା କରିବା ସହ ଅଧିକ ଲାଭ ପାଇଥାନ୍ତି ବୋଲି କିଙ୍ଗ ପ୍ରକାଶ କରିଛନ୍ତି। ଏହି ବାଡ଼ ଚାଷୀମାନଙ୍କୁ ଅଧିକ ରୋଜଗାର ଦେବାସହ ହାତୀର ସୁରକ୍ଷା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବ। ଅନ୍ତତଃ ପକ୍ଷେ ଏହା ସ୍ଥାନୀୟ ଅଞ୍ଚଳରେ ହାତୀ-ମଣିଷ ଲଢ଼େଇର ପରିସମାପ୍ତି କରି ସେମାନଙ୍କୁ ବଞ୍ଚିବାକୁ ଦେବ। ଆମେ ଯଦି ଏହି ସିଦ୍ଧାନ୍ତକୁ ଗ୍ରହଣ କରିବା,ତେବେ ହାତୀମାନେ ଇକୋଟୁରିଜମକୁ ଆଗକୁ ବଢ଼ାଇ ଅଧିକ ଆୟର ବାଟ କଢାଇ ନେବେ। ଆଫ୍ରିକାର ଏକ ଆକଳନରୁ ଜଣାପଡ଼ିଛି ଯେ,ପ୍ରତ୍ୟେକ ହାତୀ ଦ୍ୱାରା ବର୍ଷକୁ ପର୍ଯ୍ୟଟକଙ୍କଠାରୁ ୨୩,୦୦୦ ଡଲାର ଆୟ ହୁଏ। ଯଦି ଭାରତ ସରକାର ଏହାକୁ ହୃଦବୋଧ କରି କୃଷକମାନଙ୍କ ପାଇଁ ମହୁବାକ୍ସ ବାଡ଼ ତିଆରି ଆରମ୍ଭ କରିବାରେ ନିବେଶ କରନ୍ତେ,ତେବେ ଏହା ହାତୀମାନଙ୍କ ଜୀବନ ବଞ୍ଚାଇବାର ଏକ ବିକଳ୍ପ ହୋଇପାରନ୍ତା।
କିଙ୍ଗ୍ଙ୍କ ସଂସ୍ଥା ଲୋକମାନଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ବିଭିନ୍ନ ଦେଶରେ ଏଭଳି ଘଟଣା ଘଟୁଥିବା ସ୍ଥାନଗୁଡ଼ିକୁ ପଠାଉଛି। ସେମାନେ ସେଠାକାର ଲୋକମାନଙ୍କୁ ଏହା ଗ୍ରହଣ କରିବା ସହ କେମିତି ମହୁ ବିକ୍ରି କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତିି। ବିଭିନ୍ନ ପ୍ରକାର ମହୁବାକ୍ସ କେମିତି ତିଆରି କରିବେ ତାହା ଲାଗି ଲୋକମାନଙ୍କୁ ମାଗଣାରେ ଏକ ମାନୁଆଲ ପ୍ରଦାନ କରୁଛନ୍ତି। ଏହାବାଦ ସମାଧାନର ଆହୁରି ଅନେକ ବାଟ ରହିଛି। ଲଙ୍କାବାଡ କରି ବି ହାତୀମାନଙ୍କୁ ଅଟକାଇ ହେବ। ଲଙ୍କାରେ ଥିବା କ୍ୟାପ୍ସାଇସିନ୍ ତତ୍ତ୍ୱ୍ବ ହାତୀମାନଙ୍କ ସମ୍ବେଦନଶୀଳ ନାକକୁ ଟାର୍ଗେଟ କରେ।
ବାଘ ଓ ହାତୀ ନାହାନ୍ତି ମାନେ ଭାରତର ଆତ୍ମା ନାହିଁ। ଏହି ଦୁଇ ପ୍ରଜାତିର ପ୍ରାଣୀ ଏବେ ବିିଲୁପ୍ତିର ଦ୍ୱାର ଦେଶରେ। ଆମେ ସେମାନଙ୍କ ପାଖରେ ଥାଉ ଥାଉ ଯଦି ସେମାନଙ୍କୁ ମରିବାକୁ ଛାଡିଦେବା,ତେବେ ଏହା ବିପର୍ଯ୍ୟୟ ଆଣିବ। ହେଲେ ଗୋଟିଏ ପ୍ରଜାତିର ବନ୍ୟଜନ୍ତୁକୁ ବଞ୍ଚାଇ ରଖିତ୍ବା ପାଇଁ ବୁଦ୍ଧି ଖଟାଇଥିବାର ଜଣେ ହେଲେ ବି ସରକାରୀ ବୈଜ୍ଞାନିକ ମୋତେ ଏଯାବତ୍ ମିଳିନାହାନ୍ତି।
Email: gandhim@nic.in