ଟିକା ନେବାପରେ ବାପାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପୁଅ

ନବରଙ୍ଗପୁର/ଡାବୁଗାଁ/ପାପଡ଼ାହାଣ୍ଡି,୩।୪: କରୋନା ଟିକା ନେଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ପାପଡ଼ାହାଣ୍ଡି ବ୍ଲକ ହାତୀବେଢ଼ା ପଞ୍ଚାୟତ ଶୁଣ୍ଢିଗୁଡା ଗ୍ରାମର ଟଙ୍କଧର ବିଶୋଇ(୬୬)। ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଟଙ୍କଧର ଗୁରୁବାର ସ୍ଥାନୀୟ ମହେନ୍ଦ୍ରୀ ଉପସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ନେଇଥିଲେ। ଶୁକ୍ରବାର ତାଙ୍କର ପେଟ ବ୍ୟଥା ସହ ଜ୍ୱର ହୋଇଥିଲା। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟିକା ଯୋଗୁ ଟଙ୍କଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଶାକର୍ମୀଙ୍କୁ ଡକାଇ ଅଭିଯୋଗ କରିଥିଲେ। ଏପରି କି ମୃତକଙ୍କ ପୁଅ ନରସିଂହ ଶୁକ୍ରବାର ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୮/୨୧) ରୁଜୁ କରିଛି। ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ଓ ଡାବୁଗାଁ ପୋଲିସ ଗାଁରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ମାଗିଥିଲେ। ପରିବାର ଲୋକେ ମୃତଦେହ ଦେବାକୁ ମନା କରିଦେଇଥିଲେ। ଶନିବାର ପାପଡ଼ାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, ମେଡିକାଲ ଟିମ୍‌ ଓ ପୋଲିସ ପୁଣିଥରେ ଶୁଣ୍ଢିଗୁଡ଼ାକୁ ଯାଇ ଟଙ୍କଧରଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରଶାସନକୁ ମୃତଦେହ ହସ୍ତାନ୍ତର କରିଥିଲେ। ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Share