ଜନ୍ମଦିନରେ ମା’ଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଲେ ପୁଅ

ମୁମ୍ବାଇ,୧୮ା୮: ଠାଣେ ଜିଲା ଉଲ୍ଲାସନଗରରେ ଆଜିର ଯୁଗର ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି। ଜଣେ ପୁଅ ମା’ଙ୍କ ଜନ୍ମଦିନରେ ତାଙ୍କର ଇଚ୍ଛା ପୂରଣ କରିଛନ୍ତି। ସେ ତାଙ୍କ ମା’ଙ୍କ ୫୦ ତମ ଜନ୍ମଦିବସରେ ଏକ ସରପ୍ରାଇଜ୍‌ ଗିଫ୍ଟ ଦେଇ ପ୍ରଥମଥର ହେଲିକପ୍ଟରରେ ବୁଲାଇଛନ୍ତି। ପୁଅର ଏମିତି ଭିନ୍ନ ଏକ ଉପହାର ଦେଖି ମା’ଙ୍କ ଆଖିରୁ ଲୁହ ଝରିଯାଇଛି। କହିଛନ୍ତି, ଏମିତି ପୁଅ ସମସ୍ତଙ୍କୁ ଦିଅନ୍ତୁ।

ପୁଅଙ୍କ ଦ୍ୱାରା ମାଙ୍କୁ ଦିଆଯାଇଥିବା ଏହି ଉପହାରକୁ ନେଇ ସାରା ସହରରେ ଚର୍ଚ୍ଚା। ରେଖା ଦିଲୀପ ଗରଡ଼ ମହାରାଷ୍ଟ୍ରର ସୋଲାପୁର ଜିଲା ବାର୍ସିରେ ରୁହନ୍ତି। ବିବାହ ପରେ ସେ ତାଙ୍କ ସ୍ବାମୀଙ୍କ ସହ ଉଲ୍ଲାସନଗରରେ ରହୁଛନ୍ତି। ମାତ୍ର ଯେତେବେଳେ ତାଙ୍କ ପୁଅ ଛୋଟ ଥିଲେ ତାଙ୍କ ସ୍ବାମୀଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ସେହି ସମୟରେ ତାଙ୍କ ପୁଅ ୭ମରେ ପଢୁଥିଲେ।

ଏହା ପରେ ରେଖାଙ୍କ ମୁଣ୍ଡ ଉପରେ ଯେମିତି ପାହାଡ଼ ଖସିପଡ଼ିଲା। ସେ ତିନି ପିଲାଙ୍କୁ ନେଇ କେମିତି ବଞ୍ଚିବେ ଚିନ୍ତାରେ ପଡ଼ିଗଲେ। ପର ଘରେ କାମ କରି ପଲାଙ୍କୁ ପାଠ ପଢ଼ାଇଲେ। ବଡ଼ ପୁଅ ପ୍ରଦୀପଙ୍କୁ ଏକ ଆଶ୍ରମ ସ୍କୁଲରେ ପଢ଼ାଇଲେ। ପ୍ରଦୀପ କଠିନ ପରିଶ୍ରମ କରିବା ସହ ପାଠପଢ଼ା ଶେଷ କଲେ। ଶେଷରେ ଚାକିରି ମଧ୍ୟ କଲେ। ପ୍ରଦୀପ ଯେତେବେଳେ ଯୁକ୍ତ ଦୁଇ ପଢ଼ୁଥିଲେ ସେତେବେଳେ ତାଙ୍କ ଘର ଉପର ଦେଇ ଏକ ହେଲିକପ୍ଟର ଉଡୁଥିଲା। ସେତେବେଳେ ତାଙ୍କ ମା’କହିଥିଲେ ମୁଁ କ’ଣ ହେଲିକପ୍ଟରରେ ବସି ପାରିବ? ମାଙ୍କ ଏହି କଥା ପ୍ରଦୀପଙ୍କ ମନେ ଥିଲା। ପ୍ରଦୀପ ଚାକିରି କରିବା  ପରେ ବିବାହ କରିଥିଲେ। କିନ୍ତୁ ମା’ କହିଥିବା କଥା ଆଦୌ ଭୁଲି ନ ଥିଲେ। ମା’ଙ୍କ ୫୦ତମ ଜନ୍ମଦିନରେ ଏକ ହେଲିକପ୍ଟର ଗିଫ୍ଟ ଦେଇଛନ୍ତି। ଏହା ସହ ହେଲିକପ୍ଟରରେ ମା’ଙ୍କୁ ବସାଇ ଚାରିଆଡ଼େ ବୁଲାଇଛନ୍ତି। ପୁଅର ଏପରି ଉପହାର ଦେଖି ମା’ଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଯାଇଛି।

Share