ରାୟଗଡ଼ା ଅଫିସ/ଗୁଣପୁର,୧୪ା୩: ରାୟଗଡ଼ା ଜିଲା ଗୁଡାରି ଥାନା ପଦ୍ମପୁର ବ୍ଲକ ଅଧୀନ ନାଇରା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଶୋଇଥିବା ବେଳେ ଗୁଳିକରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ଗାଁର କିରଣ ଟାକ୍ରି ଓରଫ ଗାଣ୍ଟା(୩୦)।
ସୂଚନା ଅନୁଯାୟୀ, କିରଣଙ୍କ ନିଜ ଘର ଗୁଣପୁର ହାଉସିଂ ବୋର୍ଡ କଲୋନୀ ଅଞ୍ଚଳରେ। କିନ୍ତୁ ସେ ନାଇରାରେ ଶ୍ୱଶୁର ଘରେ ରହୁଥିଲେ। ଶନିବାର ରାତିରେ ସେ ଘର ବାହାରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଆସି କିରଣଙ୍କ ମୁଣ୍ଡରେ ଗୁଳି କରି ହତ୍ୟା କରିଥିଲେ। ଶବ୍ଦ ଶୁଣି ଘରେ ଶୋଇଥିବା ପରିବାର ଲୋକେ ବାହାରକୁ ଆସି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଖବର ପାଇ ପୋଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏ ନେଇ ଗୁଡାରି ଥାନାରେ ଏକ ହତ୍ୟା ମାମଲା (ନଂ.୧୬/୨୧) ରୁଜୁ ହୋଇଛି। ହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଥିବା ଗୁଣପୁର ଏସ୍ଡିପିଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି।