ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ। ସୂଚନାଯୋଗ୍ୟ, ସକାଳେ ଉକ୍ତ ଗ୍ରାମର ତିରୁପତି ଗୌଡ଼ (୫୫)ଙ୍କ ଘରେ ଥିବା ଏକ ୩୦ ଫୁଟର ଖୋଲା କୂଅ ଭିତରେ ତାଙ୍କର ୭୫ ବର୍ଷୀୟ ବୃଦ୍ଧା ମା’ ଅର୍ଣ୍ଣପୂର୍ଣ୍ଣା ଗୌଡ଼ ଅସାବଧାନତା ହେତୁ ପଡ଼ି ଯାଇଥିଲେ। ମା’ଙ୍କୁ ବଞ୍ଚେଇବାକୁ ଯାଇ ପୁଅ ତିରୁପତି ମଧ୍ୟ କୂଅ ଭିତରକୁ ଡେଇଁଥିଲେ । ପରେ ଗାଁ ଲୋକେ ଏ ନେଇ ଛତ୍ରପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଏବଂ ପୁଅଙ୍କୁ ଉଦ୍ଧାର କରିଥିଲେ। ପାଖାପାଖି ୨ଘଣ୍ଟା ଧରି କୂଅ ଭିତରେ ବୁଡିବା ହେତୁ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Share