Categories: ଜାତୀୟ

ବାପା ସକାଳୁ ନିଦରୁ ଉଠାଇବାରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଭୋପାଳ,୨୨।୪: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସକାଳୁ ଉଠିବାକୁ ବାପା ବାରମ୍ବାର କହିବାରୁ ପୁଅ ରାଗରେ ତାଙ୍କୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଅଭିଯୁକ୍ତ ପୁଅକୁ ଗିରଫ କରିଛି।
ସୂଚନାଯୋଗ୍ୟ, ଶିବପୁରୀ ଜିଲାର କୋଟୱାଲି ପୋଲିସ ଷ୍ଟେଶନ ଅଞ୍ଚଳରେ ୬୫ ବର୍ଷ ବୟସ୍କା ରାମେଶ୍ୱର ଦୟାଲ ତାଙ୍କ ପୁଅ ଉପେନ୍ଦ୍ର ଶର୍ମାଙ୍କ ସହ ଭଡା ଘରେ ରହୁଥିଲେ। ଉପେନ୍ଦ୍ର ଏକ ଏଜେନ୍ସିରେ ସେଲ୍‌ସମ୍ୟାନ୍‌ ଭାବରେ କାର୍ଯ୍ୟ କରନ୍ତି। ରାମେଶ୍ୱର ପୂଜାପାଠ କରନ୍ତି। ଏହି କାର୍ଯ୍ୟ ପୁଅକୁ ଶିଖାଇବା ପାଇଁ ସକାଳୁ ଉପେନ୍ଦ୍ରକୁ ଡାକନ୍ତି। ସବୁଦିନ ପରି ଘଟଣାଦିନ ସକାଳେ ମଧ୍ୟ ରାମେଶ୍ୱର ପୁଅକୁ ଶୀଘ୍ର ଉଠାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୁଅ ରାଗିଯାଇ ଛୁରିରେ ବାପାଙ୍କ ଗଳା କାଟିଦେଇଥିଲେ। ଘଟଣାସ୍ଥଳରେ ରାମେଶ୍ୱରଙ୍କ ମୃତ୍ୟୁ ଘଟିଥିଲା।
ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା। ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ଉପେନ୍ଦ୍ର କହିଛନ୍ତି, ତାଙ୍କ ବାପା ତାଙ୍କୁ ସକାଳୁ ଉଠିବାକୁ ସବୁବେଳେ କହୁଥିଲେ। ଜଣେ ସେଲ୍‌ସମ୍ୟାନ୍‌ ଭାବରେ କାମ କରୁଥିବାରୁ ଦିନରେ ବହୁତ କ୍ଲାନ୍ତ ଥାନ୍ତି। ଶୋଇଥିବାବେଳେ ବାପା ତାଙ୍କୁ ସକାଳୁ ଉଠିବାକୁ ଚେଷ୍ଟା କରୁଥିଲେ ଏବଂ ଏଥିରେ ରାଗିଯାଇ ସେ ବାପାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

Share