ବ୍ରିସବେନ୍,୧୯।୧: ଭାରତୀୟ ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନେକ ସମୟରେ ଉଇକେଟ ପଛରେ କିଛି କଥା ହେଉଥିବା ଜଣାପଡେ। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଉଇକେଟ ପଛରୁ ତାଙ୍କର ନିରନ୍ତର ସ୍ବର ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ପନ୍ତ ଏକ ଚମତ୍କାର ୯୭ ରନର ଇନିଂସ ଖେଳିଥିଲେ। ସେହି ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଉଇକେଟ କିପର ତଥା ଅଧିନାୟକ ଟିମ ପେନ୍ କ୍ରମାଗତ ଭାବରେ ଷ୍ଟମ୍ପ ପଛରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସ୍ଲେଜିଂ କରିଥିଲେ। ଏବେ ବ୍ରିସବେନର ଗାବାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ରିଷଭ ପନ୍ତ ମଧ୍ୟ ସମାନ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଦିନରେ ରିଷଭ ପନ୍ତଙ୍କ ସ୍ବର ଉଇକେଟ ପଛରେ ଥିବା ଷ୍ଟମ୍ପ ମାଇକ୍ରେ ଧରାପଡିଥିଲା। ୱାଶିଂଟନ ସୁନ୍ଦରଙ୍କ ଓଭରରେ କ୍ୟାମେରନ ଗ୍ରୀନ ଏବଂ ଟିମ ପେନ୍ ବ୍ୟାଟିଂ କରୁଥିବାବେଳେ ରିଷଭ ପନ୍ତଙ୍କ ‘ସ୍ପାଇଡରମ୍ୟାନ ସ୍ପାଇଡରମ୍ୟାନ ତୁନେ ଚୁରାୟା ମେରେ ଦିଲ୍ କା ଚେନ୍’ ଗୀତ ଗାଉଥିଲେ। ରିଷଭ ପନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି।