ମାତୃ ଋଣ କଦାପି ଶୁଝି ହୁଏ ନାହିଁ। କାରଣ ମା’ ଏକ ଅନନ୍ୟ ମରିଷ। ନୂଆ ଜୀନନଟିଏ ସୃଷ୍ଟି କରିବାରେ ମା’ର ଭୂମିକା ଅତୁଳନୀୟ। ସମାୟନ ପରଠାରୁ ଶିଶୁଟିକୁ ଜନ୍ମଦେବା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ପ୍ରକ୍ରିୟା ମାତୃଗର୍ଭରେ ସାଧିତ ହୋଇଥାଏ। ତେବେ ଅନ୍ୟ ସବୁ ପ୍ରଜାତିର ସ୍ତନ୍ୟପାୟୀଙ୍କ ତୁଳନାରେ ମଣିଷର ଭ୍ରୂଣ ମା’ଠାରୁ ଦାବି କରିଥାଏ ଜୀବନଧାରଣ ଏବଂ ମଣିଷ ବିକାଶ ଲାଗି ଆବଶ୍ୟକ ଅଧିକ ମାତ୍ରାର ଉପାଦାନ।
ଭୂମିଷ୍ଠ ହେଲା ପରେ ମା’ ଶିଶୁଟିକୁ ସ୍ତନ୍ୟପାନ କରାଇବା ତଥା ଅନ୍ୟ ସମସ୍ତ ମାତୃସୁଲଭ ଯତ୍ନ ନେବା ଏବଂ ଏପରି କି ପ୍ରାପ୍ତବୟସ୍କ ହେଲା ପରେ ମଧ୍ୟ ତା’ ପ୍ରତି ସର୍ବୋତୋଭାବେ ସମର୍ପିତ ହୋଇ ରହିବାର ଦେଖାଯାଏ। ମା’ର ଏହି ସମର୍ପଣ ଭାବର କାରଣ ଖୋଜି ବାହାର କରିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ତା’ ମୂଳରେ କିଛି ଜୈବିକ ରହସ୍ୟ ବିଦ୍ୟମାନ ଥିବାର ଅନୁମାନ କରାଯାଏ। ଅନେକେ ଏହାକୁ ବ୍ୟାଖ୍ୟା କରୁଥିଲେ ସମ୍ପନ୍ନ ପାଇଁ ମା’ ଏବଂ ବାପାଙ୍କର ଭିନ୍ନ ଭିନ୍ନ ଜିନୀୟ ଅବଦାନ ମାଧ୍ୟମରେ। ସେମାନଙ୍କ ମତରେ ସେ ଉଭୟେ ଶିଶୁକୁ ପ୍ରଦାନ କରିଥାଆନ୍ତି ସମସଂଖ୍ୟକ ନାଭିକୀୟ କ୍ରୋମୋଜୋମ୍। କିନ୍ତୁ ଏହା ବ୍ୟତୀତ ମା’ର ଡିମ୍ବାଣୁରେ ଥିବା ‘ମିଟୋକୋଣ୍ଡ୍ର୍ରିଆ’ରେ ସେ ସମ୍ପୂର୍ଣ୍ଣ ଅଧିକାରୀ ହୋଇଥାଏ। ସମ୍ଭବତଃ ଏଥିରେ ଥିବା ଜିନ୍ଗୁଡିକର ତହିଁରେ କୌଣସି ଭୂମିକା ରହିଛି। ତେବେ ବର୍ତ୍ତମାନ ବିଶେଷକରି ପୁଅ ସହିତ ମା’ର ଅସାମାନ୍ୟ ସଂପୃକ୍ତିକୁ ନେଇ ଭିନ୍ନ ଏକ ନୂତନ ତଥ୍ୟ ଉପସ୍ଥାପିତ କରାଗଲାଣି।
ସନ୍ତାନ ଜନ୍ମ ଦେବା ନାରୀଠାରେ ଆଣିଥାଏ ଅନେକ ପରିବର୍ତ୍ତନ-ଶରୀରର ଗାଠନିକ ତଥା କ୍ରିୟାଜନିତ ଏବଂ ମନସ୍ତାତ୍ତ୍ୱିକ। କିନ୍ତୁ ସମୟକ୍ରମେ ପ୍ରଥମ ଦୁଇଟି ଅନେକାଂଶରେ ସାଧାରଣ ହୋଇଯାଏ। କେବଳ ତୃତୀୟଟି ପରିବର୍ତ୍ତନ ରହିଯାଏ ସ୍ଥାୟୀ ରୂପେ। ବିଶେଷକରି ପୁତ୍ର ସନ୍ତାନଟିଏ ଜନ୍ମ ଦେବା ପରେ ଏସବୁ ଅଧିକ ମାତ୍ରାରେ ଘଟିବାର ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଏକ ସୂଚନା ପ୍ରଦାନ କରାଯାଇଛି ‘ଜର୍ନାଲ ଅଫ ମଲିକୁଲାର ହ୍ୟୁମାନ ରିପ୍ରଡକ୍ସନ’ର ଜାନୁୟାରୀ, ୨୦୨୦ ସଂଖ୍ୟାରେ, ଯେଉଁଥିରେ ଜିନୀୟ ସଂପୃକ୍ତିକୁ ନେଇ ଏକ ବ୍ୟାଖ୍ୟାନ ରହିଛି। ତଦନୁଯାୟୀ ନିବନ୍ଧଟି ରଚନା କରିଥିବା ଗବେଷକମାନେ ତାଙ୍କ ପରୀକ୍ଷାରେ ପୁରୁଷ ଭ୍ରୂଣ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ନତୁବା ପୁଅଟିଏ ଜନ୍ମ ଦେବାର ଠିକ୍ ପରେ ପରେ ମହିଳାମାନଙ୍କଠାରେ ଓ୍ବାଇ-କ୍ରୋମୋଜୋମ୍ ସନ୍ଧାନ ପାଇଥିଲେ। ତେଣୁ ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏହି କ୍ରୋମୋଜୋମ୍ ଭ୍ରୂଣଠାରୁ ମା’ ଦେହକୁ ଆସିଛି ବୋଲି। ଏ କ୍ଷେତ୍ରରେ ଅନ୍ୟ ଏକ ଯୁଗାନ୍ତକାରୀ ଆବିଷ୍କାର ହୋଇଥିଲା ୨୦୧୨ ମସିହାରେ। ସେତେବେଳେ ୬୩ ଶତାଂଶ ମା’ଙ୍କ ମସ୍ତିଷ୍କରେ ପୁତ୍ର ସନ୍ତାନ ଜନ୍ମ ଦେବାର ଅନେକ ବର୍ଷ ପରେ ମଧ୍ୟ ଓ୍ବାଇ-କ୍ରୋମୋଜୋମ୍ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ୯୪ବର୍ଷୀୟା ମହିଳାଙ୍କଠାରେ ଏହା ଥିବାର ଏକମାତ୍ର କାରଣ ହେଲା ଯେ, ସେମାନେ ପ୍ରତ୍ୟେକ ଅନ୍ତତଃ ଗୋଟିଏ ଲେଖାଏଁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଅତଏବ ତାହା ତାଙ୍କରିଠାରୁ ସେମାନଙ୍କ ଦେହକୁ ଆସିଥିଲା।
ବୈଜ୍ଞାନିକମାନଙ୍କ ମତରେ ଏହା ମା’ମାନଙ୍କଠାରେ ହରମୋନୀୟ ସ୍ଥିତି ବଦଳାଇ ଦେଇ ତାଙ୍କୁ କର୍କଟ ରୋଗ ତଥା ସଂକ୍ରମଣ ଓ ମସ୍ତିଷ୍କ ରୋଗରୁ ଦୀର୍ଘକାଳୀନ ଭିତ୍ତିରେ ସୁରକ୍ଷା ପ୍ରଦାନ କରେ। ଫଳରେ ତାଙ୍କର ବଞ୍ଚତ୍ ରହିବାର ସମ୍ଭାବନା ବୃଦ୍ଧିପାଏ, ଯାହା କି ଶିଶୁମାନଙ୍କ ପାଇଁ ଲାଭଦାୟକ। ସମ୍ଭବତଃ ଏହା ମା’ମାନଙ୍କୁ ବାପମାନଙ୍କ ତୁଳନାରେ ପୁତ୍ର ସନ୍ତାନ ପ୍ରତି ଅଧିକ ସମର୍ପିତ ହେବାକୁ ପ୍ରରୋଚିତ କରେ। ଅନ୍ୟପକ୍ଷରେ, ମା’ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘଜୀବନ ପାଇଁ ଏହା ସନ୍ତାନର ପ୍ରାକୃତିକ ଅବଦାନ ବୋଲି ବିଚାର କରାଯାଇପାରେ। କିଞ୍ଚତ୍ତ ମାତ୍ରାରେ ହେଲେ ବି ମାତୃ ଋଣ ଶୁଝିବା ପାଇଁ ପ୍ରକୃତି କ’ଣ ଏ ବ୍ୟବସ୍ଥା କରିଛି !
ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ,୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭