ରାୟଗଡ଼ା ଅଫିସ,୯।୩: ଦିନ ରାତି ବୋମା ଓ ଗୁଳିବର୍ଷଣର ଭୟଙ୍କର ଶବ୍ଦ ମନେ ପଡ଼ିଲେ ଏବେବି ଛାତି ଥରୁଛି। ଘରକୁ ଫେରିବା ଆଶା ନ ଥିଲା। କେବଳ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲୁ। ୟୁକ୍ରେନ୍ରେ ଯୁଦ୍ଧକୁ ଅତି ନିକଟରୁ ଦେଖି ଘରକୁ ଫେରିଥିବା ରାୟଗଡ଼ା ସହର ନେହେରୁ ନଗର ଅଞ୍ଚଳର ପ୍ରଫୁଲ୍ଲ କୁମାର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ପାତ୍ର ଗଣମାଧ୍ୟମ ନିକଟରେ ଏଭଳି କହିଛନ୍ତି।
ଆଦିତ୍ୟ ଖାର୍କିଭ୍ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ୩ୟ ବର୍ଷର ଡାକ୍ତରି ଛାତ୍ର ଥିଲେ। ୨୦୧୯ରୁ ସେ ସେଠାରେ ପଢ଼ୁଥିବାବେଳେ ଯୁଦ୍ଧ ଯୋଗୁ ଫସିଯାଇଥିଲେ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେ ୟୁନିଭର୍ସିଟି ବଙ୍କରରେ ଅନ୍ୟ ପିଲାଙ୍କ ସହ ଆଶ୍ରୟ ନେଇଥିଲେ। ପରେ ଭାରତୀୟ ଦୂତାବାସ ସହାୟତାରେ ରୋମାନିଆ ବର୍ଡରରେ ପହଞ୍ଚିଥିଲେ। ପ୍ରାୟ ୪୦ କି.ମି. ବାଟ ଚାଲି ଚାଲି ଯିବା ପରେ ପୁଣି ବସ୍ରେ ୩୦ ଘଣ୍ଟା ଯାତ୍ରା କରି ରୋମାନିଆ ବର୍ଡରରେ ପହଞ୍ଚିଥିଲେ। ସେଠାରୁ ଭାରତ ସରକାରଙ୍କ ଅପରେଶନ ଗଙ୍ଗା ଜରିଆରେ ଯାଇଥିବା ବିମାନରେ ଆଦିତ୍ୟଙ୍କ ସମେତ ୧୦୦୦ ଛାତ୍ରୀଛାତ୍ର ଭାରତ ଫେରିଥିଲେ। ପରେ ଓଡ଼ିଶା ସରକାରଙ୍କ ସହାୟତାରେ ଘରକୁ ଫେରିଥିବା ଆଦିତ୍ୟ କହିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଘରେ ପହଞ୍ଚିବା ପରେ ପରିବାର ବର୍ଗ ଭାବବିହ୍ବଳ ହୋଇପଡ଼ିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଦିତ୍ୟ ଓ ତାଙ୍କ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି।