ଜୁଆଙ୍ଗଙ୍କ ନିଅଁାର ଉତ୍ସ ‘ଚକମକି’

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)ଆଧୁନିକତା ମଧ୍ୟରେ ହଜିଯାଇନାହିଁ ଜୁଆଙ୍ଗ ଜନଜାତିଙ୍କ ନିଅଁାର ଉତ୍ସ ‘ଚକମକି’ର ବ୍ୟବହାର। ବିଶ୍ୱର ସବୁ ଆଦିମ ଜନଜାତି ମଧ୍ୟରେ ଜୁଆଙ୍ଗ ଜନଜାତିଙ୍କ ନିଜର ଅନନ୍ୟ ଛାପ ରହିଛି। ବୈତରଣୀ ନଦୀର ଉତ୍ପତ୍ତିସ୍ଥଳରେ ବସବାସ କରୁଥିବା ଏହି ଆଦିମ ଜନଜାତିର ଲୋକମାନେ ଆଜିର ଆଧୁନିକ ଚାକଚକ୍ୟ ମଧ୍ୟରେ ବି ପରମ୍ପରାକୁ ଭୁଲିନାହାନ୍ତି। ସେଥିମଧ୍ୟରେ ଚାଙ୍ଗୁ ହେଉ କି ଅହୋରାତ୍ର ଜଳୁଥିବା ନିଆଁଧୁନି। ଏହି ପାରମ୍ପରିକ ଜିନିଷ ମଧ୍ୟରେ ‘ଚକମକି’ ହେଉଛି ଅନ୍ୟତମ।
ଚକମକି ଏକ ବାଉଁଶ ନଳରେ ନିର୍ମିତ ହୋଇଥାଏ। ଛୋଟ ବାଉଁଶନଳୀର ଏକ ପାର୍ଶ୍ୱରେ ଶିମିଳିତୁଳା ଥିବା ବେଳେ ଅନ୍ୟପଟେ ଝକମକ ପଥର ଖଣ୍ଡ ରହିଥାଏ। ଏହି ଦୁଇ ପାର୍ଶ୍ୱକୁ ଚମଡ଼ା ଖୋଳରେ ବନ୍ଦ କରାଯାଇଥାଏ। ଏହା ସହ ଏକ ଲୁହାଖଣ୍ଡ ବନ୍ଧାଯାଇଥାଏ। ଯେତେବେଳେ ନିଆଁର ଆବଶ୍ୟକ ହୋଇଥାଏ ଝକମକ ପଥରକୁ ଲୁହା ସାହାଯ୍ୟରେ ଘଷି ଶିମିଳିତୁଳାରେ ନିଆଁ ଲଗାଯାଇଥାଏ। ଏହି ନିଆଁକୁ ଫୁଙ୍କି ଧୂମପାନ କି ମଣ୍ଡଘରେ ଥିବା କାଠଖଣ୍ଡ ଜଳାଇବାରେ ବ୍ୟବହାର କରାଯାଇଥାଏ। ଆଜିର ଦିଆସିଲି, ଲାଇଟର ଯୁଗରେ ମଧ୍ୟ ଜୁଆଙ୍ଗମାନେ ନିଆଁର ଉତ୍ସ ଭାବେ ଚକମକିର ବ୍ୟବହାର କରୁଛନ୍ତି। ବିଶେଷକରି ଜୁଆଙ୍ଗ ଜନଜାତିର ବୟସ୍କ ବ୍ୟକ୍ତି ଏହାକୁ ଧୂମପାନ ସମୟରେ ବ୍ୟବହାର କରନ୍ତି। କାହିଁ କେଉଁକାଳରୁ ଏହାକୁ ବ୍ୟବହାର କରୁଥିବା ଜୁଆଙ୍ଗ ଅଧିବାସୀ ପ୍ରକାଶ କରିଛନ୍ତି। ପ୍ରତିଦିନ ଦିଆସିଲି କି ଲାଇଟର ପାଇଁ ଟଙ୍କା ଆବଶ୍ୟକତାର ଅଭାବ ଏହି ଚକମକି ପୂରଣ କରିପାରୁଛି। ଯେଉଁ ପର୍ଯ୍ୟନ୍ତ ହୋଇପାରିବ ଏହି ପାରମ୍ପରିକ ଲାଇଟର ବ୍ୟବହାର କରିବୁ ବୋଲି ସମ୍ପ୍ରଦାୟର ବୟସ୍କ ବୈଶ୍ୟ ଜୁଆଙ୍ଗ କହିଛନ୍ତି।

Share