ଓଡ଼ିଶାରେ କାମ କରିବାକୁ ଦକ୍ଷିଣ କୋରିଆ କମ୍ପାନୀ ଆଗ୍ରହ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ସହିତ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଏକ ଗୋଲଟେବୁଲ ବୈଠକର ଆୟୋଜନ କରିଛି ା ବୈଠକରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଓଡ଼ିଶା ଓ ଦକ୍ଷିଣ କୋରିଆ ମଧ୍ୟରେ ଚିହ୍ନଟ କେତେକ ସେକ୍ଟର ଉପରେ ଅନେକ ସମ୍ଭାବନା ରହିଛି ା ଓଡ଼ିଶା ତା’ର ଭିଜନ-୨୦୩୦କୁ ନେଇ ପ୍ରସ୍ତୁତ ରଣନୀତି କାର୍ଯ୍ୟକାରୀ କରୁଛି। ଓଡ଼ିଶାରେ ନିର୍ମିତ ୫୦ ପ୍ରତିଶତ ପ୍ରାଥମିକ ମେଟାଲ ଉତ୍ପାଦର ମୂଲ୍ୟଯୁକ୍ତ ରାଜ୍ୟରେ କରିବାକୁ ପ୍ରାବଧାନ ରଖାଯାଇଛି ା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍‌ ବୋଙ୍ଗକିଲ୍‌ କହିଛନ୍ତି, ଗତବର୍ଷେ ମଧ୍ୟରେ ଦକ୍ଷିଣ କୋରିଆର ୬୬ଟି ନୂତନ କମ୍ପାନୀ ଭାରତରେ କାରବାର ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୨୦୨୦ରେ ୧୭ ମିଲିୟନ୍‌ ୟୁଏସ୍‌ ଡଲାର ପୁଞ୍ଜି ବିନିଯୋଗ କରିଛି। କୋରିଆର ବୃହତ୍‌ ଷ୍ଟିଲ ଉତ୍ପାଦନକାରୀ ସଂସ୍ଥା ‘ପୋସ୍କୋ’ ଭାରତ ଇତିହାସରେ ପ୍ରଥମ ଏକକ ବିଦେଶୀ ପୁଞ୍ଜି ବିନିଯୋଗକାରୀ କମ୍ପାନୀ ଭାବେ ରେକର୍ଡ ପରିମାଣର ପ୍ରାୟ ୧୨ ବିଲିୟନ୍‌ ୟୁଏସ୍‌ ଡଲାର ବିନିଯୋଗ କରି ଓଡ଼ିଶାରେ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି ା ଅକ୍ଷୟ ଶକ୍ତି, ଜଳ ବିଶୋଧନ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ କ୍ଷେତ୍ରରେ କାମ କରିବାକୁ କୋରିଆନ୍‌ କମ୍ପାନୀଗୁଡ଼ିକ ଉତ୍ସାହିତ ଥିବା କୋଟ୍ରାର ନିର୍ଦ୍ଦେଶକ ୟଙ୍ଗ ସେଓନ୍‌ ପାର୍କ ପ୍ରକାଶ କରିଛନ୍ତି।

Share