Categories: ଜାତୀୟ

ପ୍ରତିଶୋଧ ରାଜନୀତି କରୁଛି ଏସ୍‌ପିି

ନୂଆଦିଲ୍ଲୀ,୧।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିକାଶ ରାଜନୀତି ଠାରୁ ବହୁ ଦୂରରେ ଥିବା ସମାଜବାଦୀ ପାର୍ଟି ଭାଜପା ବିରୋଧରେ ପ୍ରତିଶୋଧ ରାଜନୀତିରେ ସମ୍ପୃକ୍ତ। ଦଙ୍ଗା ମନୋଭାବ ଥିବା ଲୋକଙ୍କୁ ଏହି ଦଳ ଟିକେଟ ଦେଇଛି। ୫ ବର୍ଷ ପୂର୍ବେ ସମାଜବାଦୀ ପାର୍ଟି ସରକାରରେ ବାହୁବଳୀ ଏବଂ ଦଙ୍ଗାକାରୀ ଆଇନକୁ ହାତକୁ ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଯୋଗୀ ସରକାର ଗତ ୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଏହି ସରକାର ଆଖୁ ଚାଷୀଙ୍କୁ ସର୍ବାଧିକ ଅର୍ଥ ପ୍ରଦାନ କରିଛି। ୟୁପିରେ ଆଗାମୀ ନିର୍ବାଚନ ନକଲି ସମାଜବାଦ ବନାମ ଗରିବଙ୍କ ସରକାର ମଧ୍ୟରେ ହେବ ବୋଲି ମୋଦି କହିଛନ୍ତି।
୫ ବର୍ଷ ପୂର୍ବେ ଉତ୍ତରପ୍ରଦେଶରେ ବାହୁବଳୀ ଓ ଦଙ୍ଗାକାରୀଙ୍କ ଶାସନ ଚାଲିଥିଲା। ସେମାନେ ଯାହା କହୁଥିଲେ, ତାହା ସରକାରୀ ନିର୍ଦ୍ଦେଶନାମା ଥିଲା। ସେତେବେଳେ ବ୍ୟବସାୟୀମାନଙ୍କୁ ଲୁଟ୍‌ କରାଯାଉଥିଲା। ଝିଅବୋହୂ ଘରୁ ବାହାରି ପାରୁ ନ ଥିଲେ ବୋଲି ଶାମଲି, ମୁଜାଫରନଗର, ବାଗପତ୍‌, ସାହାରନପୁର ଏବଂ ଗୌତମବୁଦ୍ଧ ନଗରରେ ଭୋଟରମାନଙ୍କୁ ଭର୍ଚୁଆଲ ରାଲିରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି।
ଯେଉଁମାନେ ଭାରତର ନିଜସ୍ବ କୋଭିଡ୍‌ ଟିକାକୁ ବିଶ୍ୱାସ କରୁ ନ ଥିଲେ ଓ ଗୁଜବ ପ୍ରଚାର କରୁଥିଲେ, ସେମାନେ ଉତ୍ତରପ୍ରଦେଶର ଯୁବବର୍ଗଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଦେଇପାରିବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ।

Share