ପ୍ରଯୋଜକଙ୍କୁ ପସନ୍ଦ ନ ଥିଲା ନାଁ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟକଙ୍କ ଗହଣରେ ଗଣାଯାନ୍ତି ଜନ୍‌ ଆବ୍ରାହମ୍‌, ଯେଉଁ ନଁା ପାଇଁ ଜନ୍‌ ଏବେ ଭାରତରେ ବେଶ୍‌ ଚର୍ଚ୍ଚିତ, ଦିନ ଥିଲା ସେ ନାଁ କୁ ହିନ୍ଦୀ ଫିଲ୍ମ ଜଗତର ପ୍ରଯୋଜକମାନେ ନାପସନ୍ଦ କରୁଥିଲେ। ଫିଲ୍ମ କ୍ୟାରିୟର୍‌ ଆରମ୍ଭ ସମୟରେ କେତେଜଣ ପ୍ରଯୋଜକ ତାଙ୍କୁ ନାମ ପରିବର୍ତ୍ତନ କରିବାକୁ କହିଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ‘ଏତବାର’ରେ କାମ କରିବା ସମୟରେ ମେକର୍ସ ତାଙ୍କ ନାମକୁ ବଦଳାଇ ଫରହାନ୍‌ ରଖିବାକୁ କହିଥିଲେ। ଜନ୍‌ଙ୍କ ଇରାନୀ ନାମ ଫରହାନ୍‌। ଫିଲ୍ମର ଶୁଟିଂବେଳେ ପ୍ରଡ୍ୟୁସର ତାଙ୍କର ଆଉ କିଛି ନାମ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଜନ୍‌ ହଁ ଭରି ଉତ୍ତରରେ ଫରହାନ ବୋଲି କହିଥିଲେ। ବଲିଉଡ୍‌ରେ ଶାହାରୁଖ, ସଲମାନ, ଆମୀରଙ୍କ ଭଳି ଖାନ୍‌ଙ୍କ ଦବ୍‌ଦବା ଅଧିକ ଥିବାବେଳେ ନାଁକୁ ନେଇ ଜନ୍‌ଙ୍କ ଲୋକପ୍ରିୟତା ବଢ଼ିବ ବୋଲି ପ୍ରଯୋଜକ ତାଙ୍କୁ କହିଥିଲେ। କିନ୍ତୁ ତାଙ୍କର ଏ ପ୍ରକାର ପ୍ରସ୍ତାବରେ ଜନ୍‌ ରାଜି ହୋଇ ନ ଥିବା କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଜନ୍‌ଙ୍କର କେହି ପରିଚିତ ନ ଥିବାବେଳେ ଏଥିରେ କ୍ୟାରିୟର୍‌ ଗଢ଼ିବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିବା ସେ ପ୍ରକାଶ କରିଛନ୍ତି। ଫିଲ୍ମ ଏତବାରରେ ଜନ୍‌ ପାର୍ଶ୍ୱଭୂମିକାରେ ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ଜିସ୍ମ ଥିଲା ଜନ୍‌ଙ୍କ କ୍ୟାରିୟର୍‌ର ଡେବ୍ୟୁ। ଏଥିରେ ଜନ୍‌ଙ୍କ ବିପକ୍ଷରେ ବିପାଶା ବସୁ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ହୋଇ ନ ଥିଲେ ମଧ୍ୟ ଫିଲ୍ମରେ ଜନ୍‌ଙ୍କ ଅଭିନୟକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ବଡ଼ ପରଦାରେ ଜନ୍‌ଙ୍କୁ ଶେଷଥର ପାଇଁ ମଲ୍ଟି ଷ୍ଟାରର୍‌ ଫିଲ୍ମ ଏକ୍‌ ଭିଲେନ୍‌ ରିଟନ୍ସରେ ଦେଖିବାକୁ ମିଳିଥିଲା।

Share