ବ୍ରହ୍ମପୁର ଅଫିସ,୧୬।୯: ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଆଡ଼ମିଶନ ପ୍ରକ୍ରିୟା ଚାଲୁ ରହିଛି। ବ୍ରହ୍ମପୁରରେ ଥିବା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ୨ ପ୍ରଥମ ବର୍ଷ ସ୍ପଟ ଆଡ଼ମିଶନ ନିମନ୍ତେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପିଲାମାନେ ଆଡ଼ମିଶନ ଲାଗି ଡକ୍ୟୁମେଣ୍ଟ ସବ୍ମିଟ କରିବାକୁ ଆସିଥିବା ଫାଟକରେ ତାଲା ପଡିଥିବାରୁ ଘଣ୍ଟା ଘଣ୍ଟା ଛିଡା ହୋଇ ନିରାଶରେ ଫେରି ଯାଇଥିଲେ। ଅପରାହ୍ନ ୨ଟା ପରଠାରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ଶହ ଶହ ସଂଖ୍ୟକ ବିଦ୍ୟାର୍ଥୀ ୪.୩୦ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଅପେକ୍ଷା କରି ନିରାଶ ହୋଇ ଫେରି ଯାଇଥିଲେ। ଘଟଣା ସମ୍ପର୍କରେ ଅଧ୍ୟକ୍ଷ ରାଧାକାନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା। ଅନ୍ୟପଟେ ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଛି ଦିନ ହେବ ନିୟମିତ ଭାବେ ଅପରାହ୍ନ ୨ଟା ପରେ କୌଣସି କର୍ମଚାରୀ ରହୁନଥିବା ନେଇ ବାରମ୍ବାର ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେଉଛି।