Categories: ଖେଳ

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ। ପ୍ରଥମ କ୍ରୀଡ଼ା ଫେଡେରେଶନ ଭାବେ ବିଶ୍ୱକପ୍‌ର କିଛିଦିନ ପୂର୍ବରୁ ହକି ଇଣ୍ଡିଆ ମେଟାଭର୍ସକୁ ଲଞ୍ଚ୍‌ କରିଛି। ସୋମବାର ରାଉରକେଲାରେ ହକି ଇଣ୍ଡିଆ ପକ୍ଷରୁ ହକିଭର୍ସ ନାମରେ ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଲଞ୍ଚ୍‌ କରାଯାଇଛି। ଏହା ସମଗ୍ର ବିଶ୍ୱରେ ଦର୍ଶକମାନଙ୍କୁ ଘରେ ବସି ମଧ୍ୟ ଭର୍ଚୁଆଲ ମୋଡ୍‌ରେ ଷ୍ଟାଡିୟମର ଅନୁଭବ ଦେବାରେ ସମର୍ଥ ହେବ। ନାମ, ଇମେଲ୍‌ ଆଇଡି ସହିତ ନିଜର ଲିଙ୍ଗ ଓ ଆଭାଟର ଚୟନ କରିବା ପରେ ହକିଭର୍ସର ଦୁନିଆରେ ପ୍ରବେଶ କରିପାରିବେ ଦର୍ଶକ। କି’ବୋର୍ଡ ଓ ମାଉସ୍‌ ମାଧ୍ୟମରେ ଷ୍ଟାଡିୟମର ଅନୁଭୂତି ନେଇ ପାରିବେ ଦର୍ଶକ। ହକିଭର୍ସ ଫିଚରରେ ଅବିକଳ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ରହିଛି। ଏହା ଏପରି ଡିଜାଇନ୍‌ ହୋଇଛି କି ଦର୍ଶକଙ୍କୁ ଘରେ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରୁଥିବା ପରି ଅନୁଭବ ହେବ। ଏହାସହିତ ଏକ ଫଟୋ ବୁଥ୍‌ ରହିଥିବା ବେଳେ ଖେଳାଳିଙ୍କ ସହିତ ଭର୍ଚୁଆଲ ମୋଡ୍‌ରେ ସେଲ୍‌ଫି ମଧ୍ୟ ଉତ୍ତୋଳନ କରିହେବ। ଏଥିସହିତ ହକି ଉପକରଣ କଣିବା ପାଇଁ ମଧ୍ୟ ଏଥିରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଏହା ହକିର ଭବିଷ୍ୟତ ବୋଲି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ କହିଛନ୍ତି। ଯୁବବର୍ଗଙ୍କୁ ହକି ପ୍ରତି ଆକୃଷ୍ଟ କରିବା ପାଇଁ ଏହା ଶ୍ରେଷ୍ଠ ମାଧ୍ୟମ। ସେହିପରି ଯେଉଁମାନେ ଭୁବନେଶ୍ୱର କିମ୍ବା ରାଉରକେଲାରେ ପହଞ୍ଚି ପାରିବେନାହିଁ ସେମାନେ ହକିଭର୍ସ ଜରିଆରେ ଷ୍ଟାଡିୟମର ମଜା ଉଠାଇପାରିବେ।

Share