ଅଫିସରୁ ଛୁଟି ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ବାହାନା ଖୋଜନ୍ତି। ଯେମିତି ଚାହିଁଥାନ୍ତି ବସ୍ ତାଙ୍କୁ ଆରାମରେ ଛୁଟି ମଞ୍ଜୁର କରିଦିଅନ୍ତୁ। ସେହିପରି ଆମେରିକାର ଏରିଜୋନାରେ ରହୁଥିବା ୧୯ ବର୍ଷୀୟ ଜଣେ କର୍ମଚାରୀ ଛୁଟି ନେବା ପାଇଁ ଏମିତି ଏକ ନାଟକ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି ଯୁବକ ଜଣକ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ଛୁଟି ନେବାକୁ ଚାହୁଁଥିଲେ। ଖାସ୍ ଏଥିପାଇଁ ନିଜର ଅପହରଣ ନାଟକ ନିଜେ ରଚିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ସହରର ଓ୍ବାଟର ଟାଓ୍ବାର ନିକଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ୧୯ ବର୍ଷୀୟ ବ୍ରେଣ୍ଡେନ ସୁଲ୍ସ ନିଜର ଅପହରଣ ନାଟକ କରିଥିଲେ। ଯେତେବେଳେ କମ୍ପାନୀ ବ୍ୟକ୍ତିଗତ ଗୁପ୍ତଚରଙ୍କ ମାଧ୍ୟମରେ ଏହି ମାମଲାର ଅନୁସନ୍ଧାନ କରାଇଲା ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ ସୁଲ୍ସ ଅପରହଣ ହୋଇଥିଲେ କି ନାହିଁ।
କମ୍ପାନୀ ଏହାର ସତ୍ୟତା ଜାଣିବା ପାଇଁ ପୋଲିସରେ ଜଣାଇଥିଲା। ପୋଲିସ ଯାଞ୍ଚ କରି ସୁଲ୍ସ ଫ୍ୟାକ୍ଟ୍ରିଠାରୁ କିଛି ଦୂରରେ ହାତଗୋଡ଼ ବନ୍ଧା ହୋଇପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା। ଏନେଇ ସୁଲ୍ସଙ୍କୁ ପୋଲିସ ପଚାରିବାରୁ ସେ ନିଜେ ଏପରି ଅପହରଣ ନାଟକ କରିଥିବା ସ୍ବୀକାର କରିଥିଲେ।
କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଅପହରଣ ଯୋଜନା କରିଥିବା ସୁଲ୍ସ ନିଜେ ପାଟିରେ କିଛି ରଖିଥିଲେ। ବେଲ୍ଟରେ ହାତଗୋଡ଼ି ସେ ନିଜେ ବାନ୍ଧିଥିଲେ। ଏହା ପରେ ରାସ୍ତା ପାର୍ଶ୍ୱରେ ଶୋଇପଡ଼ିଲେ। ଯେମିତି କି ଲୋକମାନେ ତାଙ୍କୁ ଦେଖି ପାରିବେ। ଆଉ ଅପହରଣ କରାଯାଇଥିବା ବିଶ୍ୱାସ କରିବେ। ମାତ୍ର ପୋଲିସ କବଳରୁ ସେ ଖସି ପାରି ନ ଥିଲେ। ନିଜେ ଏପରି ଅପହରଣ ନାଟକ କରିଥିବାରୁ ସବୁଦିନ ପାଇଁ ଚାକିରି ହରାଇବା ସହ ଜେଲ୍ ବି ଯିବାକୁ ପଡ଼ିଲା।