ଅଧ୍ୟାପକ ଶରତ କୁମାର ଦାସ
ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତଘଟାଇ ଶେଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ସଂସଦରେ ପାରିତ ହେବା ବିଶ୍ବର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ। ଆମେରିକାର ଇତିହାସରେ ପ୍ରଥମଥର ପାଇଁ କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆସିବାରେ ଏହା ପ୍ରଥମ ଘଟଣା। ସଂସଦରେ ପାରିତ ହୋଇଥିବା ଏହି ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମିଳିଛି ୧୯୭। ଏପରି କି ୧୦ ଜଣ ରିପବ୍ଲିକାନ ସାଂସଦ ମଧ୍ୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ମତ ପ୍ରଦାନ କରିବା ଟ୍ରମ୍ପ ଯେ ନିଜ ଦଳର ଆସ୍ଥା ହରାଇଛନ୍ତି ତାହାର ସ୍ପଷ୍ଟ ସୂଚନା ମିଳେ।
‘ସଂସଦ’ ଗଣତନ୍ତ୍ରର ପବିତ୍ର ମନ୍ଦିର ରୂପେ ବିବେଚିତ ହେଉଥିବା ବେଳେ ‘ଜନାଦେଶ’ ଏହାର ପବିତ୍ର ତଥା ଗୁରୁତ୍ୱପୂର୍ଣ୍ଣ ବିଭବ। ସଂସଦର ସମ୍ମାନ ତଥା ମର୍ଯ୍ୟାଦା ଗଣତନ୍ତ୍ରର ଗରିମାକୁ ବହୁଗୁଣିତ କରିଥାଏ ଓ ଶୃଙ୍ଖଳିତ ଜନାଦେଶ ଗଣତାନ୍ତ୍ରିକ ପରମ୍ପରା ଓ ଭିତ୍ତିଭୂମିକୁ ସୁଦୃଢ କରିଥାଏ। କ୍ଷମତା ହାସଲ ପାଇଁ ଜନାଦେଶ କବ୍ଜା କରିବାକୁ ଅନେକ ହିଂସା ସୃଷ୍ଟିହେବାର ନଜିର ଅଛି। ମାତ୍ର ଆଇନକୁ ବଳ ପ୍ରୟୋଗ ପୂର୍ବକ ଜୋର୍ ଜବରଦସ୍ତ ପାଦରେ ଦଳିମକଚି ଗଣତନ୍ତ୍ରକୁ କଣ୍ଠରୁଦ୍ଧ କରି ଶେଷକରିଦେବାର ହୀନ ପ୍ରୟାସ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ। କ୍ଷମତାକୁ ଅନ୍ୟାୟ ଭାବରେ ଜାବୁଡି ଧରିବାର ଅପଚେଷ୍ଟା ଓ କୂଟ ଚକ୍ରାନ୍ତ ସହିତ ହିଂସା ଏବଂ ରକ୍ତପାତ ଯେ ସୁସ୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏକ ନକାରାତ୍ମକ ବାର୍ତ୍ତା ପ୍ରଦାନ କରେ, ଏ କଥା ଆମେ ସମସ୍ତେ ମନେରଖିବା ଉଚିତ।
ସମଗ୍ର ବିଶ୍ବକୁ ଗଣତନ୍ତ୍ରର ଗରିମାକୁ ନେଇ ମନ୍ତ୍ର ଫୁଙ୍କୁଥିବା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ତଥା ସର୍ବପୁରାତନ ଗଣତାନ୍ତ୍ରିକ ବ୍ୟବସ୍ଥା ଆମେରିକା ଇତିହାସରେ ଗତ ଜାନୁୟାରୀ ୬ ତାରିଖ ଥିଲା ଏକ ଅପଖ୍ୟାତି ତଥା ଲଜ୍ଜାର ଦିବସ। ନିଃସନ୍ଦେହରେ କହିଲେ ବିଶ୍ବର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏହାଥିଲା ଏକ କଳା ଦିବସ। ଆମେରିକାର ସ୍ବର୍ଣ୍ଣିମ ସଂସଦରେ ଦୀର୍ଘ ଚାରିଘଣ୍ଟାରୁ ଊଦ୍ଧର୍ବ ଘଟିଥିବା ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ହିଂସାକାଣ୍ଡ, ପୋଡାଜଳା, ଭଙ୍ଗାରୁଜା ତଥା ରକ୍ତପାତ ସଂସଦ ରୂପକ ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ରକ୍ତରଞ୍ଜିତ କରିଛି। କଳଙ୍କ ଲାଗିଛି ଗଣତନ୍ତ୍ରରେ।
ଗତ ନଭେମ୍ବର ୩ରେ ଅନୁଷ୍ଠିତ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଉଭୟ ଦଳର ପ୍ରାର୍ଥୀ ଯଥା ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ତଥା ନବ ନିର୍ବାଚିତ ଜୋ ବାଇଡେନଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଯେ ଶେଷରେ ଲହୁଲୁହାଣ ହୋଇ ଆମେରିକାର ଇତିହାସରେ ଏକ କଳାଦାଗ ସୃଷ୍ଟି କରିବ ତାହା ଏବେ ବି ଅବିଶ୍ବସନୀୟ। ଗତବର୍ଷ ନଭେମ୍ବରରେ ନିର୍ବାଚନ ଫଳାଫଳ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ସପକ୍ଷରେ ଯାଇଥିଲା। ଅର୍ଥାତ୍ ସେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ସ୍ପଷ୍ଟ ହୋଇଯିବା ପରେ କ୍ଷମତାସୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ସମର୍ଥକ ଏହି ଫଳାଫଳକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ନିଜ ଜିଦ୍ରେ ଅଟଳ ରହିବା ପୂର୍ବକ ନିର୍ବାଚନରେ ଜାଲିୟାତି ହୋଇଥିବାର ଅଭିଯୋଗ ଆଣିଥିଲେ। ଏପରି କି ବିଧିବଦ୍ଧ ଭାବେ ନିର୍ବାଚନ ଫଳ ପ୍ରକାଶିତ ହେବାପୂର୍ବରୁ ନିଜକୁ ନିଜେ ବିଜୟୀ ଘୋଷଣା କରିବା କ୍ଷମତା ପ୍ରତି ଥିବା ତାଙ୍କର ଅହେତୁକ ମୋହ ତାଙ୍କୁ ସାରା ବିଶ୍ବରେ ଲଜ୍ଜିତ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଶେଷ ପର୍ଯ୍ୟନ୍ତ ଜନାଦେଶକୁ ନିଜ ସପକ୍ଷକୁ ଆଣିବା ପାଇଁ ଅନେକେ ଚକ୍ରାନ୍ତ ବି ଆରମ୍ଭ କରିଦେଲେ। ପ୍ରଥମେ ଅଦାଲତ ଓ ପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଫଳ ହେବା ପରେ ଦେଶର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ବିଜୟୀ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବିଜୟ ପ୍ରମାଣ ପତ୍ର ନ ଦେବା ପାଇଁ ଟ୍ରମ୍ପ ଚାପ ପ୍ରୟୋଗ କରିବାକୁ ମଧ୍ୟ ପଶ୍ଚାତ୍ପଦ ହୋଇ ନ ଥିଲେ। ମାତ୍ର ମାଇକ୍ ପେନ୍ସ ତାଙ୍କ କଥାକୁ ଅଗ୍ରାହ୍ୟ କରି ସାମ୍ବିଧାନିକ ମର୍ଯ୍ୟାଦା ଅନୁପାଳନ ପୂର୍ବକ ବିଧିବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିଥିଲେ। ଶେଷରେ ସବୁଥିରେ ନିରାଶ ହୋଇ ସେ ନିଜର ଯୋଜନା ମୁତାବକ ହିଂସା ଓ ଦଙ୍ଗା ସୃଷ୍ଟି କରି ଜନାଦେଶକୁ କ୍ଷତାକ୍ତ, ରକ୍ତାକ୍ତ ତଥା ବିକଳାଙ୍ଗ କରିବାର ନୀଚ ମାନସିକତା ଯେ ଏକାନ୍ତ ଭାବେ ନିନ୍ଦନୀୟ ତାହା ସହଜରେ ଅନୁମେୟ। ଉଦ୍ଦେଶ୍ୟ ଥିଲା ଦେଶରେ ହିଂସା ଓ ଅରାଜକତା ନାଁରେ ‘ରାଜଦ୍ରୋହ’ ଆଇନ ଲାଗୁ କରି ଶାସନ କ୍ଷମତାକୁ ନିଜ ହାତମୁଠାରେ ରଖିବା।
ନିର୍ବାଚନର ୬୪ ଦିନ ପରେ ଅର୍ଥାତ୍ ଜାନୁୟାରୀ ୬ ତାରିଖରେ ବିଜୟୀ ପ୍ରାର୍ଥୀ ଜୋ ବାଇଡେନଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ ନିମନ୍ତେ ଆହୂତ କଂଗ୍ରେସର ଏକ ମିଳିତ ଅଧିବେଶନ ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ହ୍ବାଇଟ୍ ହାଉସ୍ ସଂଲଗ୍ନ ସଂସଦ ଭବନ ‘କ୍ୟାପିଟୋଲ ହଲ’କୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା ସହ ହିଂସା ଓ ରକ୍ତପାତ ସୃଷ୍ଟିକଲେ। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ପ୍ରଥମେ ଲାଠି, ପରେ ଲୁହବୁହା ଗ୍ୟାସ ଓ ଶେଷରେ ଗୁଳିଚାଳନା କରିବାକୁ ପଡିଥିଲା। ଏପରି ପରିସ୍ଥିତି ହେଲା ଯେ ନିଜର ଜୀବନ ବଞ୍ଚେଇବାକୁ ମିଳିତ ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତିଙ୍କ ସମେତ ପ୍ରତିନିଧି ସଭା ଓ ସିନେଟର ସଦସ୍ୟମାନେ କିଛିକ୍ଷଣ ଲୁଚିଯାଇଥିଲେ। ମିଳିତ ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଓ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏଭଳି ହିଂସାକାଣ୍ଡ ଓ ବିକ୍ଷୋଭ ସତ୍ତ୍ୱେ ସଂସଦ ଦଳ ମତ ନିର୍ବିଶେଷରେ ଜୋ ବାଇଡେନଙ୍କୁ ବିଜୟୀ ଘୋଷଣା କରିବା ସହିତ ଇଲେକ୍ଟ୍ରୋରାଲ୍ ବିଜୟ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ତେବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏତାଦୃଶ କ୍ଷମତାପିପାସୁ ଆଚରଣକୁ ସମଗ୍ର ବିଶ୍ବରେ ନିନ୍ଦା କରାଯାଉଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍ କହିଥିଲେ- ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ ସରକାର।’ ଆମେରିକା ଭଳି ଗୌରବଶାଳୀ ଦେଶରେ ‘ଲୋକମାନଙ୍କ ଗଣତନ୍ତ୍ର’ ଆଜି ଜଣେ କ୍ଷମତାଲୋଭୀ ଜିଦଖୋର୍ ପୁଞ୍ଜିବାଦୀ କବଳରେ ରକ୍ତରଞ୍ଜିତ। ରାଷ୍ଟ୍ରର ତଥା ନିଜ ପଦ ମର୍ଯ୍ୟାଦାର ଗୌରବ ଓ ସମ୍ମାନ ରକ୍ଷା କରିବା ପାଇଁ ଶପଥ ନେଇଥିବା ରାଷ୍ଟ୍ରମୁଖ୍ୟ ଯଦି କ୍ଷମତା ଲୋଭରେ ହିଂସା ଓ ଅରାଜକତା ସୃଷ୍ଟି କରିବାର ମାର୍ଗ ହାତକୁ ନିଅନ୍ତି, ଏହା କେବେ ବି ଗ୍ରହଣୀୟ ନୁହେଁ। ଏହା ହୁଏତ କେଉଁ ଏକଚ୍ଛତ୍ରବାଦୀ ଶାସନରେ ହୋଇପାରେ। ମାତ୍ର ଆମେରିକା ଭଳି ସର୍ବପୁରାତନ ଗଣତନ୍ତ୍ର ତଥା ସ୍ଥିର ଓ ସମୃଦ୍ଧ ଅର୍ଥନୀତିରେ ଅନ୍ୟାୟ ଓ ଅନୁଚିତ ଭାବେ କ୍ଷମତାକୁ ଜାବୁଡି ଧରିବାର ଅପଚେଷ୍ଟା ସମଗ୍ର ବିଶ୍ବର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଏକ ଉପହାସ ନୁହେଁ କି ?
ଅନ୍ୟପକ୍ଷରେ ଡେମୋକ୍ରାଟମାନେ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନର ୨୫ ତମ ସଂଶୋଧନର ଧାରା ଅନୁଯାୟୀ ତାଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରିବା ପାଇଁ ଦାବି କରିଥିଲେ। ଅବଶ୍ୟ ପରେ ଟ୍ରମ୍ପ ତାଙ୍କର ପରାଜୟ ସ୍ବୀକାର କରି ଜାନୁୟାରୀ ୨୦ରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ସହିତ ଚତୁରତାର ସହିତ ନିଜର ଭାବମୂର୍ତ୍ତିକୁ ସଜାଡିବା ପାଇଁ ହିଂସା ସୃଷ୍ଟି କରିଥିବା ନିଜ ସମର୍ଥକମାନଙ୍କୁ ନିନ୍ଦା କରିବା କେତେଦୂର ତାଙ୍କ ରାଜନୈତିକ ପରିପକ୍ୱତାକୁ ସୂଚନା ଦିଏ ତାହା ହୁଏତ ବିଚାର ସାପେକ୍ଷ।
ଗଣତନ୍ତ୍ର ଗଣର ଶାସନ। ଏହା କୌଣସି ନିର୍ଦ୍ଦିଷ୍ଟ ବା କିଛି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ଇଚ୍ଛା ଅନିଚ୍ଛାର ଶାସନ ନୁହେଁ କିମ୍ବା ଏକଚ୍ଛତ୍ରବାଦୀ ଚିନ୍ତାଧାରା ସମ୍ବଳିତ ‘ଗନ୍’ ବା ‘ବୁଲେଟ୍’ର ଶାସନ ନୁହେଁ। ଏହା ଶାନ୍ତି, ସ୍ଥିରତା, ପରସ୍ପର ବୁଝାମଣା ଓ ସହଯୋଗ ଏବଂ ସହନଶୀଳତାର ଶାସନ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ କିମ୍ବା ହିଂସାର କେବେ ବି ବିଜୟ ହୁଏ ନାହିଁ। ବିଜୟ ହୁଏ ସ୍ବତନ୍ତ୍ରତାର। ଗଣତନ୍ତ୍ରରେ ଜନମତ ଯେ ସର୍ବୋଚ୍ଚ- ଏ କଥା ଟ୍ରମ୍ପ ଯେପରି ନ ଭୁଲନ୍ତି। ଆମେରିକାର ସ୍ବର୍ଣ୍ଣାଭ ଗରିମାରେ ସେ ଲଗାଇଥିବା କଳାଦାଗ ଯେ ଲିଭିବା କଷ୍ଟ-ଏକଥା ବି ତାଙ୍କୁ ମନେରଖିବାକୁ ପଡିବ।
୨୦୧୬ ମସିହା ନିର୍ବାଚନ ବିଜୟ ବିଷୟକୁ ନେଇ ଟ୍ରମ୍ପ ଦ୍ବନ୍ଦ୍ୱ ତଥା ଚର୍ଚ୍ଚାରେ ଥିଲେ। ତାଙ୍କ ବିଜୟ ପଶ୍ଚାତରେ ରୁଷିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଅଭିଯୋଗ ହେଲାପରେ ଏହାର ତଦନ୍ତ ପାଇଁ ପୂର୍ବତନ ଏଫ୍.ବି.ଆଇ. ନିର୍ଦ୍ଦେଶକ ରବର୍ଟ ମୁଲରଙ୍କ ଅଧୀନରେ ଏକ ନ୍ୟାୟିକ କମିଟି ମଧ୍ୟ ଗଠନ ହୋଇଥିଲା। କମିଟି ରିପୋର୍ଟରୁ ସ୍ପଷ୍ଟ ଜଣାପଡିଥିଲା ଯେ, ଟ୍ରମ୍ପ ରୁଷିଆ ସାହାଯ୍ୟରେ ଶଠତାପୂର୍ବକ ଜୟ ଲାଭ କରିଥିଲେ। ସେହି କ୍ଷମତାଲୋଭୀ ଟ୍ରମ୍ପ ହୁଏତ କ୍ଷମତାରୁ ହଟିପାରନ୍ତି କିମ୍ବା ତାଙ୍କୁ ବରଖାସ୍ତ କରାଯାଇପାରେ। ମାତ୍ର ସେ ପୋତିଥିବା ହିଂସା ଓ ବୈଷମ୍ୟର ମଞ୍ଜି ଯେ ମହାଦ୍ରୁମରେ ପରିଣତ ହୋଇ ଆମେରିକା ତଥା ସମଗ୍ର ବିଶ୍ବରେ ଶାଖା ପ୍ରଶାଖା ମେଲିବ- ଏକଥା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମନେରଖିବାକୁ ପଡିବ। ଏହାସହିତ ଆମେରିକା ତଥା ସମଗ୍ର ବିଶ୍ବର ହିତରେ ‘ଟ୍ରମ୍ପବାଦ’ର ବିଲୋପ ଓ କବର ଉପରେ ଅଗ୍ରାଧିକାର ଆଧାରରେ ବିଚାର କରିବା ହୁଏତ ତାଙ୍କ ଶାସନ କାଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ହୋଇପାରେ। ଏହାଦ୍ବାରା ପୃଥିବୀର ଶକ୍ତିଶାଳୀ ଗଣତନ୍ତ୍ରର ସମୃଦ୍ଧ ପରମ୍ପରା ଦେଦୀପ୍ୟମାନ ହେବା ସହିତ ଆମେରିକା ତା’ର ହୃତ୍ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନଶ୍ଚ ଫେରିପାଇବ।
ରାଜନୀତି ବିଜ୍ଞାନ ବିଭାଗ,
ବଡ଼ବିଲ ମହାବିଦ୍ୟାଳୟ, ବଡ଼ବିଲ, କେନ୍ଦୁଝର
ମୋ-୮୨୪୯୧୩୭୦୯୧