ପ୍ରଚାର ପାଇଁ ମେୟର ପ୍ରାର୍ଥୀଙ୍କୁ ମିଳିବ ୬, କର୍ପୋରେଟରଙ୍କୁ ୨ ଗାଡ଼ି

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଆଗାମୀ ପୌର ନିର୍ବାଚନ ଲାଗି ପ୍ରଚାର ନିମନ୍ତେ ଉପଯୋଗ ହେବାକୁ ଥିବା ଗାଡ଼ି ପରିମାଣ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ମେୟର ପ୍ରାର୍ଥୀ ସର୍ବାଧିକ ୬, କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ ଗାଡ଼ି ପ୍ରଚାର ନିମନ୍ତେ ଉପଯୋଗ କରିପାରିବେ।

ମଙ୍ଗଳବାର କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ, କାଉନସିଲର/କର୍ପୋରେଟର ପ୍ରାର୍ଥୀମାନେ ୩ ଚକିଆ ଏବଂ ୪ ଚକିଆ ଗାଡ଼ିକୁ ମିଶାଇ ୨ ଗାଡ଼ି ଉପଯୋଗ କରିପାରିବେ। ଏମ୍‌ଏସି ଓ ପୌର ପରିଷଦର ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ସର୍ବାଧିକ ୪ ତିନି ଚକିଆ ଓ ୪ ଚକିଆ ଗାଡ଼ି ବ୍ୟବହାର କରିପାରିବେ। ସେହିଭଳି ମହାନଗର ନିଗମର ମେୟର ପ୍ରାର୍ଥୀ ୩ ଚକିଆ ଓ ୪ ଚକିଆର ସର୍ବାଧିକ ୬ ଗାଡ଼ି ଉପଯୋଗ କରିପାରିବେ। ତେବେ ପ୍ରାର୍ଥୀମାନଙ୍କୁ କେଉଁ ଧରଣର ଗାଡ଼ି, ଗାଡ଼ିର ପଞ୍ଜିକରଣ ନଂ ଏବଂ ମାଲିକାନା ସମ୍ପର୍କରେ ତଥ୍ୟ ପ୍ରଥମେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ।

Share