ରାଜ୍ୟ ସରକାର ଚାଷୀଙ୍କ ସଂଖ୍ୟା କମାଇ ଚାଲିଛନ୍ତି: ଧର୍ମେନ୍ଦ୍ର

ଏରସମା,୨୬ା୧୨(ସ୍ବ.ପ୍ର.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଜପା ବଜାରରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୮ ହଜାର କୋଟି ଟଙ୍କା ସିଧାସଳଖ ୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି। କୃଷକମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚେଷ୍ଟିତ। କିନ୍ତୁ ରାଜ୍ୟ ସରକାର ଚାଷୀଙ୍କ ସଂଖ୍ୟା କମାଇ ଚାଲିଛନ୍ତି।

ମହାବାତ୍ୟା ପରେ ଉପକୂଳବାସୀଙ୍କ ଉନ୍ନତି ସମ୍ଭବ ନ ହେବା ନେଇ ସେ ରାଜ୍ୟ ସରକାରଙ୍କୁ ଦାୟୀ କରି କହିଲେ,ଏକଦା ଗୁଜରାଟର କଚ୍ଛ ଅଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱଂସ ହୋଇଥିଲା। କିନ୍ତୁ ମୋଦିଙ୍କ ଉଦ୍ୟମରେ ତାହା ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଛି। ପୂର୍ବରୁ ପାରାଦୀପରେ ମାତ୍ର ୬୦ ମିଲିୟନ ଟନ ସାମଗ୍ରୀ ରପ୍ତାନୀ ହେଉଥିଲା ା ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୧୦୬ ମିଲିୟନ ଟନ୍‌ ସାମଗ୍ରୀ ରପ୍ତାନୀ ହୋଇ ଦେଶର ଅର୍ଥନୈତିକ ସ୍ଥିତି ମଜଭୁତ ହୋଇଛି ବୋଲି ପ୍ରଧାନ କହିଥିଲୋ। ବାଜପେୟୀଙ୍କ ଉପରେ ଏକ ସ୍ମରଣିକା ‘ଅଟଳ ଜ୍ୟୋତି’ ଉନ୍ମୋଚନ କରାଯାଇଥିଲା। ସଭାରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ଏମପି ବିଭୁପ୍ରସାଦ ତରାଇ, ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏରସମା ବଜାରରେ ଯିବା ସମୟରେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି କେତେଜଣ ଯୁବକ ‘କେନ୍ଦ୍ରମନ୍ତ୍ରୀ ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଏଥିସହିତ କଳା ପତାକା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ସିପିଆଇ ଜିଲା ସମ୍ପାଦକ ଅଭିଜିତ ସାହୁ, ବିଶ୍ୱଜିତ ସାହୁ ଓ ଦେବାଶିଷ ପରିଜାଙ୍କୁ ପୋଲିସ ଥାନାରେ ଅଟକ ରଖି ସଭା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।