ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୧୧ା୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦାଏର ମାମଲାରେ ସୋମବାର ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଖଣ୍ଡପୀଠ ପୂର୍ବରୁ ନୋଟିସ ଜାରି କରିଥିଲେ। ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲା ସମେତ ରାଜ୍ୟର ୨୩ଟି ଜିଲାରେ ଏସ୍‌ଟିଙ୍କ ପାଇଁ ସଂରକ୍ଷଣ ନ ଥିବା ପ୍ରସଙ୍ଗରେ ସରକାର ସତ୍ୟପାଠ ଜରିଆରେ ଜବାବ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆବେଦନକାରୀ ପ୍ରତିଜବାବ ଦାଖଲ କରିବା ପାଇଁ ବିଚାରପତି ବିଶ୍ୱନାଥ ରଥ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଅଦାଲତ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ୧୯୦ଟି ଏବଂ ସୁବର୍ଣ୍ଣପୁର ଜିଲାରେ ୧୦୯ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ତାଲିକାରେ ସରପଞ୍ଚ ପଦବୀରେ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏପରି କି ଉକ୍ତ ଜିଲା ସମେତ ରାଜ୍ୟର ୨୩ ଜିଲାରେ ଆଦିବାସୀଙ୍କ ନିମନ୍ତେ ସରପଞ୍ଚ ପଦବୀ ପାଇଁ କୌଣସି ସଂରକ୍ଷଣ ନ ଥିବା ନେଇ ଆବେଦନରେ ଦର୍ଶାଯାଇଥିଲା। ଯାହାଦ୍ୱାରା ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି। ଉକ୍ତ ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁବର୍ଣ୍ଣପୁର ଜିଲାର ବଳଭଦ୍ର କୁଅଁର ଓ ଖୋର୍ଦ୍ଧା ଜିଲାର ଟୁକୁ ମାଝିଙ୍କ ସମେତ ଅନ୍ୟ ୫ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share