ରାଜ୍ୟ ସରକାର ଭ୍ରମିତ କରୁଛନ୍ତି: ଭାଜପା

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି, ଯେଉଁଥିରେ ହାଇକୋର୍ଟ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାର ସିଟିଂ ଜଜ୍‌ଙ୍କ ମନିଟରିଂରେ ଏସ୍‌ଆଇଟି ତଦନ୍ତ ପାଇଁ କୌଣସି ଚିଠି ଲେଖିନାହାନ୍ତି। ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ତଦନ୍ତକୁ ନେଇ ରାଜ୍ୟ ସରକାର ହୀନ ରାଜନୀତି କରିଚାଲିଛନ୍ତି। ତଦନ୍ତ କରୁଥିବା ଏସଆଇଟି କୋର୍ଟ ଦ୍ୱାରା ମନିଟରିଂ ହେଉଥିବା ନେଇ ରାଜ୍ୟ ସରକାର କହି ରାଜ୍ୟବାସୀଙ୍କୁ ବାରମ୍ବାର ଭ୍ରମିତ କରୁଛନ୍ତି। ଶାସକ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସାଢେ ୪ କୋଟି ଲୋକଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସକ ଦଳ, ଏସଆଇଟି ଓ ଉଚ୍ଚପଦସ୍ଥ ସରକାରୀ ଅଫିସରମାନେ ଉଚ୍ଚନ୍ୟାୟାଳୟଙ୍କ ନଁା ନେଇ ଏହି ପ୍ରସଙ୍ଗରେ ମିଛ କହିଛନ୍ତି। ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନଁାରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣାଯାଉ। ମିଛ କହିଥିବାରୁ କୋର୍ଟ ଅବମାମନା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭାରେ ଏବଂ ବାହାରେ ରାଜ୍ୟ ସରକାର ମିଛ କହିଥିବା ନେଇ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ଏହି ପ୍ରସଙ୍ଗ ନିଶ୍ଚିତଭାବେ ଆସନ୍ତା ବିଧାନସଭା ଅଧିବେଶନରେ ଉଠାଯିବ। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ହାଇକୋର୍ଟ ତା ତଦନ୍ତ କରି ସାର୍ଟିଫିକେଟ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି, ଭାଜପା ପାଖରେ ତଥ୍ୟ ଏବଂ ସତ୍ୟତା ନାହିଁ, କେବଳ ହୀନ ରାଜନୀତି ଲାଗି ଏଭଳି ମନଗଢ଼ା କଥା କହୁଛନ୍ତି।

Share