ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ପ୍ରଦାନ କଲେ ରାଜ୍ୟ ସରକାର, ଏଥିରେ ରହିଛି…

ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଶନିବାର ଏସ୍‌ଓପି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍‌ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍‌ବିଆଇର ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ ଓ ଆମ ଟିମ୍‌କୁ ସହାୟତା କରିବେ। ସ୍ୱଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର।

ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍‌ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଟିମ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ୍ ଟିମ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ।

Share