Categories: ଜାତୀୟ

ରାମ ଭକ୍ତଙ୍କୁ ଆକ୍ରମଣ ବେଳେ ନୀରବଦ୍ରଷ୍ଟା ସାଜିଥିଲେ ରାଜ୍ୟ ସରକାର: ଅନୁରାଗ ଠାକୁର

କୋଲକାତା/ନୂଆଦିଲ୍ଲୀ,୩୧ା୩: ପଶ୍ଚିମବଙ୍ଗର ହାଓଡାର କାଜିପାରା ଅଞ୍ଚଳରେ ଗୁରୁବାର ରାମନବମୀ ଉତ୍ସବ ପାଳନ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଅନେକ ଯାନବାହନରେ ନିଅଁା ଲଗାଇ ଦିଆଯାଇଥିଲା। ଉପଦବ୍ରୀମାନେ ଦୋକାନଗୁଡ଼ିକରୁ ଲୁଟ୍‌ କରିବା ପରେ ଜାଳି ଦେଇଥିଲେ। ଶୁକ୍ରବାର ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସଂଘର୍ଷ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିଛନ୍ତି। ଅନୁରାଗ କହିଛନ୍ତି, ରାମନବମୀରେ ରାମଭକ୍ତମାନଙ୍କୁ ଆକ୍ରମଣ କରାଯିବାବେଳେ ମମତାଙ୍କ ସରକାର ନିଲ୍ଲଜ ଭଳି ନୀରବଦ୍ରଷ୍ଟା ସାଜିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଦାବି କରିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ସହ ଫୋନ୍‌ରେ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ରାଜ୍ୟପାଳ ତାଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିବା କୁହାଯାଉଛି।

Share