ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ପ୍ରତିଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୬ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଭୟରେ ଢିଙ୍କିଆ ଗ୍ରାମର ଲୋକେ ଉପଯୁକ୍ତ ଚିକିତ୍ସା ପାଇପାରୁ ନ ଥିବା ନେଇ ଆବେଦନକାରୀ ସତ୍ୟପାଠରେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ଢିଙ୍କିଆ ମାମଲା ନେଇ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଏବଂ କବିରାଜ ପ୍ରଧାନ ପୃଥକ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା କରାଇବା, ଜମି ଅଧିଗ୍ରହଣ ନିୟମ ଠିକ୍‌ ଭାବେ ପାଳନ କରିବା, ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନବରଜ ଭଙ୍ଗା ନ ଯିବା, ଲୋକଙ୍କୁ ବିସ୍ଥାପିତ କରା ନ ଯିବା ନେଇ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଜେଏସ୍‌ଡବ୍ଲ୍ୟୁ, ପୋଲିସ ଡିଜି, ଜଗତସିଂହପୁର ଏସ୍‌ପି ଏବଂ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Share