ଭଲ ବର୍ଷିଲା ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ଭଲ ବର୍ଷା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ଉପରେ ଶୁଭଦୃଷ୍ଟି ରହିଛି। ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୫% ଅଧିକ ହୋଇଛି। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଉ କେତେକ ଜିଲାରେ ସ୍ବାଭାବିକଠାରୁ ଅଧିକ ହୋଇଛି। କୌଣସି ଜିଲାରେ ନିଅଣ୍ଟିଆ ବର୍ଷା ହୋଇନାହିଁ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୧ ମଧ୍ୟରେ ରାଜ୍ୟର ୨୫ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୫ ଜିଲାରେ ଅତ୍ୟଧିକ ବର୍ଷା ହୋଇଛି। ଏହି ସମୟରେ କନ୍ଧମାଳରେ ରାଜ୍ୟର ସର୍ବାଧିକ ବୃଷ୍ଟିପାତ ହୋଇଛି। ଏହି ଜିଲାରେ ୧୧୦୦.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୬୬୪.୯ ମିଲିମିଟର। ସ୍ବାଭାବିକଠାରୁ ୫୧ ପ୍ରତିଶତ ଅଧିକ ହୋଇଛି। ସେହିପରି କୋରାପୁଟରେ ସ୍ବାଭାବିକ ବର୍ଷା ୧୧୯୭.୧ ମିଲିମିଟର ହେବାକୁ ଥିବାବେଳେ ହୋଇଛି ୧୫୨୩.୮ ମିଲିମିଟର। ଏହି ଜିଲାରେ ୨୭ ପ୍ରତିଶତ ଅଧିକ ହୋଇଛି। ବୌଦ୍ଧରେ ସ୍ବାଭାବିକ (୯୯୧.୬ ମି.ମି)ଠାରୁ ୩୩ ପ୍ରତିଶତ, ଗଜପତିରେ ୨୪ ପ୍ରତିଶତ ଓ ଢେଙ୍କାନାଳରେ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେହିପରି ନୟାଗଡ଼ରେ ସ୍ବାଭାବିକଠାରୁ ୧୭, ରାୟଗଡ଼ା ୧୭, ସୁନ୍ଦରଗଡ଼ ୧୪, ଦେବଗଡ଼ ୧୨, ଜଗତ୍‌ସିଂହପୁର ୧୧, ଗଞ୍ଜାମରେ ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ଚଳିତ ବର୍ଷ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାଜ୍ୟକୁ ଆହୁରି ବର୍ଷା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share