ସଂକ୍ରମଣର ଭୀଷଣ ରୂପ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟକୁ ମାଡ଼ି ଆସୁଛି କରୋନା ସଂକ୍ରମଣର ବଡ଼ ବିପଦ। ବର୍ତ୍ତମାନର ସଂକ୍ରମଣ ଓ ସ୍ବାସ୍ଥ୍ୟ ପରିଚାଳନା ସ୍ଥିତିକୁ ଦେଖିଲେ ଏଭଳି ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ପ୍ରଥମେ ପଡୋଶୀ ଛତିଶଗଡ଼ ପାଇଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥିଲା। ଏବେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟରୁ ପ୍ରବାସୀଙ୍କ ଘରବାହୁଡ଼ା ରାଜ୍ୟର ସ୍ଥିତିକୁ ଆହୁରି ବିଗାଡି ଦେଇଛି। ଫଳରେ ୩ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ଉପରେ ରହିବା ସହ ୪ହଜାର ମୁହାଁ ହୋଇଛି। ଶେଷ ୨୪ ଘଣ୍ଟାରେ ୩,୬୬୪ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଟିକ ପରେ ଆଉ ଗୋଟିଏ ଜିଲା ରେଡ୍‌ ଜୋନ୍‌କୁ ଚାଲିଯାଉଛି। ଶନିବାର ସୁଦ୍ଧା ୪ ଜିଲା ସୁନ୍ଦରଗଡ଼, ଖୋର୍ଦ୍ଧା, ନୂଆପଡ଼ା ଓ ସମ୍ବଲପୁର ରେଡ୍‌ ଜୋନ୍‌ରେ ରହିଥିଲା। ରବିବାର ଆଉ ୨ଟି ଜିଲା ବରଗଡ଼ ଓ କଟକ ରେଡ୍‌ ଜୋନ୍‌ରେ ସାମିଲ ହୋଇଛି। କିନ୍ତୁ ରେଡ୍‌ ଜୋନ୍‌ରେ ଥିବା ନୂଆପଡ଼ା ଜିଲା ୟେଲୋ ଜୋନ୍‌କୁ ଖସି ଆସିଥିବାରୁ ଏବେ ୫ ଜିଲା ରେଡ୍‌ ଜୋନ୍‌ରେ ରହିଛି। ତେବେ ପଶ୍ଚିମ ଓଡ଼ିଶାରେ ଭୟଙ୍କର ସ୍ଥିତି ଉପୁଜିଛି। ରେଡ୍‌ ଜୋନ୍‌ରେ ଥିବା ୩ ଜିଲାରେ ସଂକ୍ରମଣ ଏପରି ସ୍ଥିତିରେ ପହଞ୍ଚତ୍ଛି କୋଭିଡ୍‌ ହସ୍ପିଟାଲରେ ବେଡ୍‌ଠାରୁ ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି। ସେହିପରି ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ଯେଉଁଥିପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କୁହାଯାଉଛି।
ସେପଟେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧା ଦ୍ୱିତୀୟ ଲହର ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୪ଜଣ ରହିଥିବାବେଳେ ସୁନ୍ଦରଗଡ଼ ୩୪୦, କଳାହାଣ୍ଡି ୩୨୪, ନୂଆପଡ଼ା ୨୨୧, ବରଗଡ଼ ୨୧୦, ସମ୍ବଲପୁର ୧୯୯, କଟକ ୧୯୮, ଝାରସୁଗୁଡ଼ା ୧୮୩, ପୁରୀ ୧୪୩ ଓ ମୟୂରଭଞ୍ଜରୁ ୧୧୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟସବୁ ଜିଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଶହେ ତଳକୁ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୩,୬୮,୨୫୮କୁ ବୃଦ୍ଧି ପାଇଛି। ସେହିପରି ୨ ମୃତକମାନେ ହେଲେ ସୁନ୍ଦରଗଡ଼ର ୩୨ବର୍ଷୀୟା ଓ ବରଗଡ଼ର ୭୫ ବର୍ଷୀୟା ମହିଳା। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୯୪୪କୁ ଛୁଇଁଛି।

Share