ରାଜ୍ୟରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଘଡ଼ଘଡ଼ି ସାଙ୍ଗକୁ ପବନର ସୁ ସୁ ଗର୍ଜନ ଖଣ୍ଡମଣ୍ଡଳକୁ କମ୍ପାଇଦେଲା। ନିମିଷକ ମଧ୍ୟରେ ବାତ୍ୟାର ଭ୍ରମ ସୃଷ୍ଟି କଲା। ଚାହୁଁ ଚାହଁୁ ଚାରିଆଡ଼େ ଧୂଳିଝଡ଼ ସହ ବର୍ଷା ଓ ପବନ ଘୋଟିଗଲା। ମଙ୍ଗଳବାର ପାହାନ୍ତାରେ ରାଜଧାନୀ ଭୁବନେଶ୍ୱରରେ କାଳମବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। ବଡ଼ିଭୋରୁ ମାଡ଼ିଆସିଲା କାଳବୈଶାଖୀ ଝଡ଼। ଠପ୍‌ ହୋଇଗଲା ବିଜୁଳି। ଏକ ଘଣ୍ଟା କାଳ ପବନ, ବର୍ଷାରେ ସହର ବେହାଲ ହୋଇଥିଲା। ଗଛ ଡାଳ ଭାଙ୍ଗିବା ସହ ବର୍ଷା ସହରର ତାତିକୁ ତଳମୁହାଁ କରିଥିଲା। କେବଳ ଭୁବନେଶ୍ୱର ନୁହେଁ, ଅଧା ରାଜ୍ୟ ଝଡ଼ବର୍ଷାରେ ଭିଜିଯାଇଛି। କଟକ, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ସୋନପୁର, ବୌଦ୍ଧ, ଯାଜପୁର, ଗଜପତି, ଦେବଗଡ଼ ଆଦି ଜିଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କି.ମି. ଥିବା ଅନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳରେ ୬୭.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୧.୪. ଭୁବନେଶ୍ୱର ୧୬.୮, ଅନୁଗୋଳ ୨୦, ଝାରସୁଗୁଡ଼ା ୨୭, ତାଳଚେର ୪୨, କୋରାପୁଟ ୧୪.୬, ବୌଦ୍ଧ ୩୨, ପାରଳାଖେମୁଣ୍ଡି ୨୭.୮, ଯାଜପୁରରେ ୨୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ ତାତି ହ୍ରାସ ପାଇଛି। ରାଜ୍ୟର ଅଧିକାଂଶ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ତେବେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଆସନ୍ତା ୨୮ ତାରିଖରୁ ରାଜ୍ୟରେ ପୁଣି ତାତି ବଢ଼ିବା ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

Share