ବାଲି ଚୋରା ଚାଲାଣରୁ ରାଜ୍ୟ ହରାଉଛି ୧୪ ହଜାର କୋଟି: ଭାଜପା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଚୋରା ବାଲି ମାଫିଆଙ୍କ ରାଜ୍‌ ବଢୁଛି। ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପୃଷ୍ଟପୋଷକତାରେ ଅବାଧ ବାଲି ଚୋରି ହେଉଛି।ଏହି ବାଲି ଚୋରି ଯୋଗୁ ରାଜ୍ୟ ସରକାର ପ୍ରତିବର୍ଷ ପାଖାପାଖି ୧୪ ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ନଦୀ ସୁରକ୍ଷା କମିଟିର ଅଭିଯୋଗ ଅନୁଯାୟୀ, ରାଜ୍ୟରେ ବେଧଡ଼କ ବେଆଇନ ବାଲି ଉଠାଣ ହେଉଛି। ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଆଦି ରାଜ୍ୟର ୧୧ଟି ପ୍ରମୁଖ ନଦୀରେ ଚୋରା ବାଲି ଚାଲାଣ ବଢ଼ିଚାଲିଛି। ଫଳରେ ନଦୀ ବନ୍ଧଗୁଡ଼ିକ ଅସୁରକ୍ଷିତ ଓ ଦୁର୍ବଳ ହୋଇପଡୁଛି। ନଦୀକୂଳରେ ବାସ କରୁଥିବା ଗାଁର ସାଧାରଣ ଲୋକଙ୍କ ଜନଜୀବନ ପ୍ରଭାବିତ ହେଉଛି। ପରିବେଶ ବିପର୍ଯ୍ୟସ୍ତ ହେଉଛି। ବିନା ଲାଇସେନ୍ସରେ ବାଲି ଉଠୁଥିବାରୁ ରାଜ୍ୟର ରାଜସ୍ବ ହାନୀ ମଧ୍ୟ ହେଉଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ କରିଥିବାବେଳେ ଆଇନ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ତରଫରୁ ଦାବି କରାଯାଇଛି। ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ରହୁଥିବାରୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ସୋମବାର ଭାଜପା ନଦୀ ସୁରକ୍ଷା କମିଟି (ନମାମି ଗଙ୍ଗେ) ତରଫରୁ ସଂଯୋଜକ ମହେଶ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

Share