ଭୁବନେଶ୍ୱର,୩୦।୮(ବ୍ୟୁରୋ): ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି) ପକ୍ଷରୁ ରବିବାରଠାରୁ ରାଜ୍ୟସ୍ତରୀୟ ସେରୋସର୍ଭେ ଆରମ୍ଭ ହୋଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୧୨ଟି ଜିଲାରେ ଅଲଗା ଅବଧି ମଧ୍ୟରେ ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପ୍ରଥମ ଦିନରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସେରୋ ସର୍ଭେ ଆରମ୍ଭ ହୋଇଥିବାବେଳେ ୪ ତାରିଖରେ ସରିବ। ସେହିପରି ସୋମବାର ନବରଙ୍ଗପୁର, କଳାହାଣ୍ଡି ଓ ମଙ୍ଗଳବାରଠାରୁ ବାଲେଶ୍ୱର ଜିଲାରେ ସର୍ଭେ ହେବ। ୫ ତାରିଖରୁ କେନ୍ଦୁଝର ଓ ସମ୍ବଲପୁର, ୭ରୁ ଯାଜପୁର, ୮ରୁ କନ୍ଧମାଳ ଓ ମୟୂରଭଞ୍ଜରେ ସର୍ଭେ କରାଯିବ। ଆର୍ଏମ୍ଆର୍ସିର ଟିମ୍ ଏସବୁ ଜିଲାରୁ ୬,୬୮୦ ନମୁନା ସଂଗ୍ରହ କରିବେ। ପ୍ରତି ଜିଲାରୁ ୧୦୦ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ନମୁନା ସଂଗ୍ରହ ହେବ।